fbpx

ଗ୍ରୀନ ଲେଡି ରାନି: ଦୁଇବର୍ଷ ମଧ୍ୟରେ ଲଗାଇଲେଣି ୪୦୦୦ ଗଛ

ଜାମ୍ମୁ, ୨୩ା୪ (ଓଡିଶା ଭାସ୍କର) : ଜଙ୍ଗଲରେ ଗଛ ଅଭାବରୁ ପରିବେଶର ସୁନ୍ଦରତା ଲୋପ ପାଇବାକୁ ବସିଲାଣି । ଶିଳ୍ପ ସଂସ୍ଥାନ ଏବଂ ବଡ ବଡ ଅଟ୍ଟାଳିକା ତିଆରି କରିବାକୁ ଯାଇ ଲୋକେ ଗଛକୁ କାଟି ଜଙ୍ଗଲ ଖାଲି କରିବାକୁ ବସିଲେଣି । ତେଣୁ ପଶୁ ପକ୍ଷୀ ମାନେ ବେସାହାରା ହୋଇ ଜନବସତି ଆଡକୁ ମାଡି ଆସୁଛନ୍ତି । ହେଲେ ଏତେ ସବୁ ପରେ ବି ଲୋକମାନେ ସଚେତନା ମନୋଭାବ ପୋଷଣ ନ କରି ଗଛ କାଟିବାରେ ଲାଗିଛନ୍ତି । ହେଲେ ଜାମ୍ମୁର ପୀରପାଞ୍ଜାଳର ଜଣେ ମହିଳା ଗଛ ପୋତି କୃତ୍ରିମ ଜଙ୍ଗଲ ତିଆରି କରିବା ପାଇଁ ଆଗେଇଆସି ପ୍ରାୟ ୪୦୦୦ ଗଛ ଲଗାଇଛନ୍ତି । ନିଜ ପରିଶ୍ରମରେ ସେ ଗୋଚର ଭୁଇଁରେ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ କୁହନ୍ତି ଯେ, ଗଛ ତାଙ୍କର ସବୁଠାରୁ ପ୍ରିୟ । ତେଣୁ ସବୁ ଅସୁବିଧାକୁ ସାମ୍ନାକୁ କରି ସେ ଆଜି ଏତେ ସଂଖ୍ୟାରେ ଗଛ ଲଗାଇବାରେ ସଫଳ ହୋପାରିଛନ୍ତି ।


ତାଙ୍କ ନାଁ ହେଉଛି ରାନି ମୁଘଲ୍ । ୪୮ ବର୍ଷର ରାନି ଛୋଟ ବେଳୁ ହିଁ ଗଛ ଲଗାଇବାରେ ସଉକ୍ ରଖନ୍ତି । ସେ ମିଶନ ଗ୍ରୀନର ଜଣେ ଶିକ୍ଷୟତ୍ରୀ ମଧ୍ୟ । ଏଥିସହିତ ପୁଞ୍ଚ ଡିଗ୍ରୀ କଲେଜ୍ ରେ ବଟାନିକାଲ୍ ପ୍ରଫେସର୍ ଭାବେ ଦୁଇ ବର୍ଷ ତଳେ କାମ କରିଛନ୍ତି । ରାନି ନିଜର ଅଧିକାଂଶ ସମୟ ଗଛ ଲଗାଇବାରେ ବିତାନ୍ତି । ଏହା ତାଙ୍କର ରୁଚି ଥିବା ବେଳେ ବର୍ତ୍ତମାନ ଏହା ତାଙ୍କ ପାଇଁ ଏକ ମିଶନ ପାଲଟିଯାଇଛି । ପୀରପାଞ୍ଜାଲକୁ ଏକ ସଫା ଏବଂ ଗ୍ରୀନ ପୀରପାଞ୍ଜାଲରେ ପରିଣତ କରିବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ ।


ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାନି ପ୍ରତିଦିନ ସକାଳୁ ଗୋଟିଏ ବେଲଚା ଏବଂ ଚାରା ନେଇ ପୁଞ୍ଚର ସୀମାବର୍ତ୍ତୀ ଅଞ୍ଚଳକୁ ଯାଆନ୍ତି । ଆଉ ସେଠାରେ ଚାରା ରୋପଣ କରି ଆସନ୍ତି । ସେଠାକାର ଗୋଚର ଭୁଇଁକୁ ସବୁଜିମା ରେ ପରିଣତ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଦିନ ମିଶନରେ ବାହାରିପଡନ୍ତି । ରାନି ମାତ୍ର ଦୁଇ ବର୍ଷରେ ଗୋଚର ଭୁଇଁରେ ୪୦୦୦ ବିଭିନ୍ନ ପ୍ରଜାତିର ଗଛ ଲଗାଇବାରେ ସଫଳ ହୋଇଛନ୍ତି । ଆଉ ଏହାକୁ ସେ ୨.୫ ହେକ୍ଟର ଜାଗାରେ ରୋପଣ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗତ ବର୍ଷ କରୋନା ଲକଡାଉନ୍ ସମୟରେ ଦେଶବ୍ୟାପି ଲୋକ ଯେତେବେଳେ ଘରର ଚାରି କାନ୍ଥ ଭିତରେ ବନ୍ଦ ହୋଇଯାଇଥିଲେ ସେହି ସମୟରେ ମଧ୍ୟ ରାନି ନିଜ ମିଶନରୁ ଓହରି ନଥିଲେ । ଏଥିପାଇଁ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଛନ୍ତି ବୋଲି କୁହନ୍ତି ।

ଖାଲି ସେତିକି ନୁହେଁ ଏହି ସଫଳତା ହାସଲ କରିବା ପାଇଁ ତାଙ୍କୁ ଅନେକ ବାଧାବିଘ୍ନର ସାମନା ହେବାକୁ ପଡିଛି । ହେଲେ ସେ ପଛକୁ ନ ହଟି ନିଜ ଲକ୍ଷ୍ୟରେ ଧ୍ୟାନ ଦେଇଛନ୍ତି । ସେ ନିଜର ଗାଁର ଲୋକ ମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରିବା ସହ ଗାଁର ସରପଞ୍ଚଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ହେଲେ ଆଜିକା ସମୟରେ ତାଙ୍କ ମିଶନରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଆଗେଇ ଆସିଛନ୍ତି । ତେବେ ସେ ଆଗାମୀ ପିଢ଼ି ପାଇଁ ପ୍ରେରଣା ପାଲଟିବାକୁ ଚାହୁଁଛନ୍ତି । କାରଣ ଯେଉଁଭଳି ଭାବରେ ପରିବେଶରୁ ଗଛ କୁ କଟାଯାଉଛି ତାହା ଭବିଷ୍ୟତକୁ ଅନେକ ପରିବେଶଜନିତ ଅସୁବିଧା ଉପୁଜିପାରେ । ତେଣୁ ସେ ଏନେଇ ଲୋକଙ୍କୁ ସଚେତନ ହେବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.