fbpx

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ

ବିନା ଭକ୍ତରେ ରଥଯାତ୍ରା

ପୁରୀ, (ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସବୁଠାରୁ ବଡ ଯାତ୍ରା ତଥା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ । ଏଥିପାଇଁ ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଅପେକ୍ଷା କେବଳ ସେହି ପବିତ୍ର ମୁହୁର୍ତ୍ତକୁ ଯେତେ ବେଳେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ।

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ତେବେ ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ କେବଳ ପୁରୀରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ବିନା ଭକ୍ତରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅନୁଷ୍ଠିତ ହେବ ରଥଯାତ୍ରା । କେବଳ ସେବାୟତ ମାନେ ରଥ ଟାଣିବେ । ଗତବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦିଆଯାଇ ନାହିଁ ।

କୋଭିଡ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ନୀତିକାନ୍ତି । ସୋମବାର ଅପରାହ୍ନ ୩ଟାରେ ରଥ ଟଣା ଯିବାକୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ରବିବାର ସକାଳ ଧୂପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ସେବାୟତ ଆସିବା ପରେ ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହୋଇଥିଲା । ଏହା ପରେ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଥିଲା । କୋଭିଡ୍‌ ନିୟମ ପାଳନ କ୍ରମେ ସେବାୟତମାନେ ରଥଖଳାରୁ ଯଥାକ୍ରମେ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ ରଥକୁ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିଛନ୍ତି । ଏବେ ତିନି ରଥ ସିଂହଦ୍ୱାର ଆଗରେ ଲାଗିଛି ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଶଙ୍କରଚାର୍ଯ୍ୟ । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବା କଥା । ମାତ୍ର ତାଙ୍କୁ ପରିଚାଳନା କମିଟି ବୈଠକରେ ସାମିଲ କରାଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ । ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ରଥାଯାତ୍ରାକୁ ଦୃଷ୍ଟିରେ ରଖି ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଣ୍ଟା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ କରାଯାଇଛି । ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି । ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସହରକୁ ୧୨ଟି ଜୋନ୍‌ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ । ବଡ଼ଦାଣ୍ଡରେ ଥିବା କୋଠାଗୁଡ଼ିକ ଉପରୁ ମଧ୍ୟ ଠାକୁରଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି । ସମସ୍ତ ଭକ୍ତ ଟିଭି ମାଧ୍ୟମରେ ରଥଯାତ୍ରା ଉପଭୋଗ କରିାରିବେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.