fbpx

ଜାଣନ୍ତୁ ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି କିଏ? ଗିନିଜ ବୁକରେ ରେକର୍ଡ ହୋଇଛି ନାଁ

ନୂଆଦିଲ୍ଲୀ: ଇରାନର ଆଫସିନ୍ ଏସମେଲଙ୍କୁ ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଛି । ଗିନିଜ ବୁକ୍ ମଙ୍ଗଳବାର ଦିନ ଏହି ଘୋଷଣା କରିଛି । ଆଫସିନ୍ ଇସମାଇଲଙ୍କର ଲମ୍ବ ମାତ୍ର ୨ ଫୁଟ ୧.୬ ଇଞ୍ଚ ଅର୍ଥାତ୍ ପ୍ରାୟ ୬୫.୨୪ ସେଣ୍ଟିମିଟର ହେବ । ତେବେ ଆଫସିନଙ୍କ ବୟସ ୨୦ ବର୍ଷ । ଏହାପୂର୍ବରୁ, ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଭାବେ କଲମ୍ବିଆର ଏଡୱାର୍ଡ ନିନୋଙ୍କ ନାଁ ଗିନିଜ ବୁକ ଅଫ ୱାର୍ଲ୍ଡର ସ୍ଥାନ ପାଇଥିଲା । ୩୬ ବର୍ଷିୟ ଏଡୱାର୍ଡ ନିନୋଙ୍କ ଉଚ୍ଚତା ପ୍ରାୟ ୭୨ ସେମି ଥିବାବେଳେ ଆଫସିନଙ୍କ ଉଚ୍ଚତା ଏଡୱାର୍ଡଙ୍କ ଠାରୁ ୭ ସେମି କମ୍ ରହିଥିବା ଜଣା ପଡ଼ିଛି ।

ଗିନିଜ୍ ବୁକ୍ ର ଦୁବାଇ କାର୍ଯ୍ୟାଳୟରେ ଆଫସିନଙ୍କ ଉଚ୍ଚତା ମାପ କରାଯାଇଥିଲା, ଯେଉଁଠାରେ ୨୪ ଘଣ୍ଟା ମଧ୍ୟରେ ଆଫସିନଙ୍କ ଉଚ୍ଚତା ତିନିଥର ମାପ କରାଯାଇଥିଲା ଯେଉଁଥିରେ ତାଙ୍କ ଉଚ୍ଚତା ସମାନ ହିଁ ଆସିଥିଲା । ଆଫସିନ୍ ଦୁନିଆର ଚତୁର୍ଥ କ୍ଷୁଦ୍ର ବ୍ୟକ୍ତି ଯିଏକି ଗିନିଜ୍ ବୁକ୍ ଦ୍ୱାରା ଏକ ସାର୍ଟିଫିକେଟ୍ ପାଇଛନ୍ତି ।

ଇରାନର ପଶ୍ଚିମରେ ଥିବା ଆଜେରବାଇଜାନ ଜିଲ୍ଲାର ବୁଖାନ କାଉଣ୍ଟି ନିକଟରୁ ଆଫସିନଙ୍କୁ ଖୋଜା ଯାଇଥିଲା । ରେକର୍ଡ ବୁକ୍ ଅନୁଯାୟୀ, ସେ ଉଭୟ କୁର୍ଦ୍ଦିଶ ଏବଂ ଫାର୍ସି ଭାଷା ଭଲଭାବେ ଜାଣିଛନ୍ତି । ସୂଚନା ଅନୁଯାୟୀ ଆଫସିନ୍ ଯେତେବେଳେ ଜନ୍ମ ହୋଇଥିଲେ ସେ ମାତ୍ର ୭୦୦ ଗ୍ରାମ ଥିଲେ, ବର୍ତ୍ତମାନ ତାଙ୍କର ଓଜନ ପ୍ରାୟ ୬.୫ କିଲୋଗ୍ରାମ ରହିଛି । କମ ଉଚ୍ଚତା ହେତୁ ଆଫସିନ୍ ସ୍କୁଲ ମଧ୍ୟ ଯାଇ ନଥିଲେ । ତେବେ ଦୁନିଆରେ ସମସ୍ତଙ୍କର କିଛି ନା କିଛି ଇଚ୍ଛା ରହିଥାଏ, ସେହିପରି ଆଫଶିନ ବୁର୍ଜ ଖଲିଫାକୁ ଦେଖିବାକୁ ଇଚ୍ଛା କରିଥିଲେ । ଦୁବାଇରେ ରହିବା ସମୟରେ ଆଫସିନ୍ ପ୍ରଥମେ ଏକ ସୁଟ୍ ତିଆରି କରିଥିଲେ ଏବଂ ପରେ ବୁର୍ଜ ଖଲିଫାକୁ ଦେଖିବାର ସ୍ୱପ୍ନ ପୂରା କରିଥିଲେ ।

Get real time updates directly on you device, subscribe now.