fbpx

ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ୧୧୯ ବର୍ଷ ବୟସରେ ପରଲୋକ, ଶେଷ ସମୟ ସୁଦ୍ଧା ନେଉଥିଲେ ଚକଲେଟର ମଜା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା । ତାନାକା ୧୯୦୩ ମସିହା ଜାନୁଆରୀ ୨ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ହେଉଛି ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକା ।

୧୯୦୩ ମସିହାରେ ରାଇଟ୍ ବ୍ରଦର୍ସ ପ୍ରଥମଥର ପାଇଁ ବିମାନରେ ଉଡ଼ିଥିଲେ । ସେହିପରି ୧୯୦୩ରେ ମାରି କ୍ୟୁରୀ ପ୍ରଥମ ମହିଳା ଭାବେ ନୋବେଲ ପୁରସ୍କାର ପାଇଥିଲେ । ସେହି ସମୟରେ ଜନ୍ମ ଗ୍ରହଣ କରିଥିବା ତାନାକା ଅନେକ ଘଟଣାର ମୂକସାଖୀ ରହିଥିଲେ । ଆଜି ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ତାନାକା ସବୁବେଳେ ଶାନ୍ତ ମିଜାରେ ରହୁଥିଲେ । ବୟସ ତାଙ୍କୁ ୧୧୯ ହୋଇଥିଲେ ମଧ୍ୟ ସେ ସୁସ୍ଥ ରହିଥିଲେ । ଗୋଟିଏ ନର୍ସିଂ ହୋମରେ ସେ ରହିବା ସହ ବୋର୍ଡ ଗେମ ଖେଳୁଥିଲେ ଓ ଗଣିତ ସମସ୍ୟାର ସମାଧାନ କରୁଥିଲେ ।

ସେ ଚକଲେଟ ଖାଇବାକୁ ବେଶ ପସନ୍ଦ କରିନ୍ତି । ସୋଢ଼ା ବି ପିଅନ୍ତି । ଯୁବାବସ୍ଥାରେ ତାନାକା ନୁଡୁଲ୍ସ ଦୋକାନ ଠାରୁ ଆରମ୍ଭ କରି ରାଇସ କେକ୍ ଷ୍ଟୋର ଭଳି ବ୍ୟବସାୟ ମଧ୍ୟ କରୁଥିଲେ କେନ୍ । ୧୯୨୨ରେ ସେ ହିଡେଓ ତାନାକାଙ୍କୁ ବିବାହ କରିଥିଲେ । ତାଙ୍କର ୪ ପିଲା ଥିଲେ ଓ ସେ ଆଉ ଜଣଙ୍କୁ ପୋଷ୍ୟ ଭାବେ ମଧ୍ୟ ଗ୍ରହଣ କରିଥିଲେ ।

Japanese woman Kane Tanaka certified world's oldest person dies

୨୦୨୧ ଅଲିମ୍ପିକ୍ସରେ ସେ ହ୍ୱିଲ ଚେୟାରରେ ଟ୍ରଚ ରିଲେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା । ୨୦୧୯ରେ ଗିନିଜ ବୁକ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ମହିଳା ମାନ୍ୟତା ମିଳିଥିଲା । ଏହା ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ବଡ଼ ଖୁସିର ଦିନ । ସେତେବେଳେ ତାନାକାଙ୍କୁ ୧୧୬ ବର୍ଷ ବୟସ ହୋଇଥିଲା । କେନ୍ ତାନାକାଙ୍କ ମୃତ୍ୟୁ ଖବରକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ଟ୍ୱିଟ୍ କରାଯାଇଛି । କେନ୍ ତାନାକା ସବୁବେଳେ ସକାଳ ୬ଟାରୁ ଉଠୁଥିଲେ । ମଧ୍ୟାହ୍ନ ସମୟରେ ସେ ଗଣିତ ପଢ଼ିବା ସହ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ ।

ହେଲେ ଏପ୍ରିଲ ୧୯ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ଅଧିକ ସମୟ ବଞ୍ଚିଥିବା ରେକର୍ଡ ଫ୍ରାନ୍ସର ଜେ ଲୋଉସି କାଲମେଣ୍ଟଙ୍କ ନାଁରେ ରହିଛି । ସେ ୧୨୨ ବର୍ଷ ୧୬୪ ଦିନ ବଞ୍ଚିଥିଲେ । ତେବେ ୧୯୯୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରେ କେନ୍ ଦ୍ୱିତୀୟ ମହିଳା ଭାବେ ସବୁଠାରୁ ଅଧିକ ବଞ୍ଚିବାର ରେକର୍ଡ କରିଥିଲେ ।

Get real time updates directly on you device, subscribe now.