fbpx

ଅଡୁଆରେ ସି ଜିନପିଙ୍ଗ; ପଦ ଛାଡିବାକୁ ଜନତାଙ୍କ ଦାବି

ବେଜିଂ: ବିଗତ ଦୁଇ ବର୍ଷ ହେବ ଦେଶ ତଥା ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରିଛି । ଫଳରେ କିଏ ବୁଢା ବୟସରେ ତାର ଭେଣ୍ଡିଆ ପୁଅକୁ ହରାଇଛି ତ ଆଉ କିଏ ସମ୍ପୂର୍ଣ୍ଣ ରୂପେ ଅନାଥ ହୋଇ ଯାଇଛି । ତେବେ ଏହି ମହାମାରୀ ଅନକ ପରିବାରକୁ ସର୍ବଶାନ୍ତ କରି ଦେଇଛି । ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ଦେଶର ସରକାର ଲକଡାଉନ୍ ସଟଡାଉନ୍ ପରି ନିୟମ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହି ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାର ଉହାନ ସହର ବୋଲି କୁହାଯାଉଥିବା ବେଳେ ଆଜି ବି ସେଠାରେ କରୋନା ପାଇଁ ଲକଡାଉନ୍ ଜାରୀ ରହିଛି ।

ତେବେ ଗୋଟିଏ ପଟେ ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଅନ୍ୟପକ୍ଷରେ କୋଭିଡ ନିୟମକୁ ନେଇ କମ୍ୟୁନିଷ୍ଟ ସରକାର (ସିସିପି) ପ୍ରତି ଥିବା ଲୋକଙ୍କ ଅସନ୍ତୋଷ ବର୍ତ୍ତମାନ କ୍ରୋଧର ରୂପ ନେଇଛି । ଲୋକଙ୍କ ମଧ୍ୟରେ କ୍ରୋଧ ଏତେ ବୃଦ୍ଧି ପାଇଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ଚୀନର ସାଧାରଣ ନାଗରିକ । ଦେଶବ୍ୟାପୀ ସରକାର ବିରୁଦ୍ଧରେ ରେ ବିରୋଧ ଆରମ୍ଭ ହୋଇଛି । ଚୀନ୍ ସରକାର ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଫଳରେ ଚୀନର ଲୋକମାନେ ଏହା ଉପରେ ନିଜର ରାଗ ଶୁଝାଇଛନ୍ତି ।

ଚୀନ୍ ର ବିଭିନ୍ନ ଅଞ୍ଚଳରୁ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ଜିରୋ କୋଭିଡ ନୀତି ଅନୁଯାୟୀ ଗ୍ରହଣ କରାଯାଉଥିବା କଠୋର ପଦକ୍ଷେପ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ଦିନ ଚୀନ୍ ର ଉତ୍ତର-ପଶ୍ଚିମ ପ୍ରଦେଶର ଉରୁମ୍କି ସ୍ଥିତ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ତେବେ କୋଭିଡ କଟକଣାର କଠୋରତା ମଧ୍ୟରେ ଏହି ଘଟଣା ଚୀନ୍ ଲୋକଙ୍କ କ୍ରୋଧକୁ ଆହୁରି ଉଗ୍ର କରିଛି । ଯେଉଁଥିପାଇଁ ଜିନଜିଆଙ୍ଗ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଲୋକମାନେ ରାସ୍ତାରେ ଯାଇ ଚୀନ୍ ର କମ୍ୟୁନିଷ୍ଟ ସରକାର ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି ।

ତେବେ ଶନିବାର ରାତିରୁ ଏହି ବିରୋଧ ତୀବ୍ର ହୋଇଥିଲା । ଚାଇନାର ବୃହତ୍ତମ ସହର ସାଂଘାଇର ବିଭିନ୍ନ ଅଞ୍ଚଳର ରାସ୍ତାରେ ଶହ ଶହ ଲୋକ ବାହାରକୁ ଆସିଥିଲେ । କୋଭିଡକୁ ନେଇ ସରକାରଙ୍କ କଠୋର ନୀତି ଉପରେ ଲୋକମାନେ ଏତେ ରାଗିଛନ୍ତି ଯେ ସେମାନେ ସମସ୍ତେ ‘କମ୍ୟୁନିଷ୍ଟ ପାର୍ଟି ହଟାଓ’, ‘ସି ଜିନପିଙ୍ଗ ପଦ ଛାଡ’ ଭଳି ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ କହିବାନୁଯାୟୀ ଯଦି ଜିନଜିଆଙ୍ଗରେ କଠୋର କୋଭିଡ ନିୟମ ଲାଗୁ ହୋଇନଥାନ୍ତା, ତେବେ ଅଗ୍ନି ଘଟଣା ଶୀଘ୍ର ନିୟନ୍ତ୍ରଣକୁ ଆସିଥାନ୍ତା ଏବଂ ଅଗ୍ନିକାଣ୍ଡରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇନଥାନ୍ତା । ବିକ୍ଷୋଭକାରୀମାନେ ଆହୁରି କହିଛନ୍ତି ଯେ ଆମେ ଆମ ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତା ଚାହୁଁ । ଲୋକଙ୍କ କ୍ରୋଧକୁ ଲକ୍ଷ୍ୟ କରି ସ୍ଥାନୀୟ ପ୍ରଶାସନ ସହରର କିଛି ସ୍ଥାନରୁ କୋଭିଡ ପ୍ରତିବନ୍ଧକ ହଟାଇ ଦେଇଥିବା ଜଣାଯାଇଛି ।

Get real time updates directly on you device, subscribe now.