fbpx

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୯ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ପର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଜି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୯ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୨୧୦ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହେଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ୧୦୪ଟି ବ୍ଲକରେ ସ୍ୱଭାବିକ ଠାରୁ ଅଧିକ କିମ୍ବା ସ୍ୱଭାବିକ ବର୍ଷା ହୋଇଥିବାବେଳେ ୫୮ଟି ବ୍ଲକରେ ୧୯ରୁ ୩୯ ପ୍ରତିଶତ କମ୍‍ ବର୍ଷା ହୋଇଛି । ସେହିପରି ୭୧ଟି ବ୍ଲକରେ ୩୯ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଅନ୍ୟ ୮୧ଟି ବ୍ଲକରେ ଅଳ୍ପ ବର୍ଷା ହୋଇଥିବାର ସୂଚନା ମିଳିଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଜୁନ୍‍ ମାସ ପହିଲାରୁ ଗତକାଲି ପର୍ଯ୍ୟନ୍ତ ୧୭୧ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱଭାବିକ ବର୍ଷାଠାରୁ ୩୧ ପ୍ରତିଶତ କମ୍‍ ।

Get real time updates directly on you device, subscribe now.