fbpx

ଦଶମରେ ଗଣିତ ନଥିଲେ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପଢ଼ିନଥିଲେ ଯୁକ୍ତ ଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ । ବର୍ତ୍ତମାନ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ଏକ ଅଜବ ନିୟମ ପ୍ରଣୟନ କରାଯାଇଛି । ଫଳରେ ସିବିଏସଇ, ସିଆଇଏସସିଇ ବୋର୍ଡ ଅଧୀନରେ ଦଶମ ପାସ୍ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ନାମଲେଖାରୁ ବଞ୍ଚିତ ହେବେ । ଅଚାନକ ଏଭଳି ଏକ ନିୟମ ପ୍ରଣୟନ କରାଯାଇଥିବାରୁ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏନେଇ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ଦାବି କରିଛନ୍ତି ।

ଜଣାପଡ଼ିଛି ଯେ, ସରକାରଙ୍କ ଏହି ନିୟମ ଫଳରେ କୋରାପୁଟ ଜିଲ୍ଲାର ଜଣେ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ସେ ଜଣେ ମେଧାବୀ ହୋଇଥିଲେ ହେଁ ଯୁକ୍ତ ଦୁଇରେ ବିଜ୍ଞାନ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି । ଏଭଳି ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି ନୂଆ ନିୟମର ଶିକାର ହୋଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନର ରାଜ୍ୟ ସଭାପତି, ଯୁଗ୍ମ ନିର୍ଦ୍ଦେଶକ ପ୍ରମୁଖ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ନିୟମ ପ୍ରଣୟନ ହୋଇଥିବାରୁ ସେ କିଛି କରିପାରିବେ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.