fbpx

ମହାକାଶ ଯାତ୍ରା ୨ ଘଣ୍ଟାରେ! ଆପଣଙ୍କ ସ୍ୱପ୍ନ ପୂରଣ କରିବ ବେଲୁନ୍, ଆସୁଛି ଏକ ମଜାଦାର ଯୋଜନା

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଗକୁ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆପଣମାନେ ଯଦି ମହାକାଶ ଯାତ୍ରା କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କର ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବ । ଆପଣମାନେ ମାତ୍ର ୨ ଘଣ୍ଟାରେ ମହାକାଶରେ ପହଞ୍ଚିଯିବେ । ଭୂମିଠାରୁ ୨୫ କିମି ଉଚ୍ଚରେ ଏହା ଯାତ୍ରା କରିବ । ଏଥିପାଇଁ କୌଣସି ସ୍ପେସ୍ ଶିପର ଆବଶ୍ୟକତା ପଡ଼ିବନି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସୁବିଧା ପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ।

ସୂଚନା ମୁତାବକ, ଜାପାନର ସ୍ପେସ ଟୁରିଜ୍ୟୁମ କମ୍ପାନୀ ଇୱାୟା ଗିକେନ ଏଭଳି ଏକ ଅଫର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ ଏକ କ୍ୟାପସୁଲ ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ଯାତ୍ରୀଙ୍କୁ ମହାକାଶ ଯାତ୍ରା କରାଯିବ । ଯାତ୍ରୀ ଅରବପତି ହୋଇ ନଥିଲେ, କୌଣସି ଟ୍ରେନିଂ ନେଇ ନଥିଲେ ମହାକାଶ ଯାତ୍ରା କରିପାରିବେ ବୋଲି କମ୍ପାନୀର ସିଇଓ ସେସୁକେ ଇୱାୟା କହିଛନ୍ତି । ଏହି ବେଲୁନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମହାକାଶ ଓ ଧରିତ୍ରୀର ଦୃଶ୍ୟକୁ ଉପଭୋଗ କରିପାରିବେ । ଡ୍ରମ ଆକାରର ହୋଇଥିବା ଏହି ବେଲୁନରେ ଦୁଇଟି ଖିଡ଼କୀ ଦିଆଯାଇଛି । ଜାପାନର ହୋକାୟଡୋରେ ତିଆରି ହୋଇଥିବା ବେଲୁନ ପୋର୍ଟରୁ ଏହାକୁ ଛଡ଼ାଯିବ । ଯାତ୍ରୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି କମ୍ପାନୀ ଦୃଢ଼ୋକ୍ତି ପ୍ରକାଶ କରିଛି ।

ଏହି ବେଲୁନ ଅନ୍ୟ ରକେଟ ବା ହେଲିକପ୍ଟର ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ । ମହାକାଶରେ ପହଞ୍ଚିବା ପର୍ଯ୍ୟନ୍ତ ଏଥିରେ ହିଲିୟମ୍ ଗ୍ୟାସ ବ୍ୟବହାର କରାଯିବ । ଏକ ରିପୋର୍ଟ ମୁତାବକ, ମହାକାଶ ଯାତ୍ରା ପାଇଁ ଆପଣଙ୍କୁ ଗୋଟିଏ ଟ୍ରିପ ପାଇଁ ୧.୫ କୋଟି ଟଙ୍କା ଦେବାକୁ ପଡ଼ିବ । ଆଗକୁ ମହାକାଶ ଯାତ୍ରା ବ୍ୟବସାୟ ବଢ଼ିବା ଫଳରେ ଏହି ଟିକେଟର ମୂଲ୍ୟ ହ୍ରାସ ପାଇବ । ଗତ ୧୦ ବର୍ଷ ଧରି ଏହା ଉପରେ କାର୍ଯ୍ୟ ଚାଲିଥିଲା । ଏହି ବେଲୁନ ସୁରକ୍ଷିତ ଓ ମହାକାଶ ଯାତ୍ରା କରୁଥିବା ଲୋକଙ୍କ ବଜେଟରେ ରହିବ ବୋଲି କମ୍ପାନୀର ସିଇଓ କହିଛନ୍ତି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିବ । ମହାକାଶ ଯାତ୍ରା ପାଇଁ ପ୍ରଥମ ୫ ଯାତ୍ରୀଙ୍କ ଚୟନ ଆସନ୍ତା ଅକ୍ଟୋବରରେ କରାଯିବ ।

Get real time updates directly on you device, subscribe now.