fbpx

ଭୁବନେଶ୍ୱର-କଟକରେ ଦେଖାଯିବନି କାହାର ଛାଇ: ଆସନ୍ତାକାଲି ରାଜଧାନୀରେ ହେବ ‘ଶୂନ୍ୟ ଛାୟା ଦିବସ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘରୁ ବାହାରକୁ ଯିବା ସମୟରେ ଆମେ ସବୁ ସମୟରେ ନିଜର ଛାଇକୁ ଦେଖିଥାଉ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ ସହରରେ ପାଖାପାଖି ୧ ମିନିଟ୍ ଓ ୩୦ ସେକେଣ୍ଡ ପର୍ଯ୍ୟନ୍ତ କାହାର ଛାଇ ଦେଖାଯାଇ ନଥିଲା । ଦିନ ୧୨.୧୭ ସମୟରେ ଲୋକମାନେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇଥିଲେ ।

ତେବେ ଏଭଳି ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି ଟ୍ୱିନ ସିଟିର ବାସିନ୍ଦା । ମେ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱର ଓ ମେ ୨୨ ତାରିଖରେ କଟକର ଜନସାଧାରଣ ‘ଶୂନ୍ୟ ଛାୟା ଦିବସ’କୁ ଅନୁଭବ କରିପାରିବେ । ଏହି ଦିବସରେ କାହାର ଛାଇ ଦେଖାଯିବନି । ମଧ୍ୟାହ୍ନ ୧୧.୪୩ ସମୟରେ ସମସେସ୍ତ ଏହି ଶୂନ୍ୟ ଛାୟାକୁ ଦେଖିପାରିବେ । ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ । ତେବେ ଆସନ୍ତା ଜୁନ ମାସ ୨୨ ତାରିଖରେ ରାଜ୍ୟର ବାରିପଦାରେ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ।

ଏ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିନ ବିତିବା ସହିତ ସମୟାନୁସାରେ ଅକ୍ଷାଂଶ ଧୀରେଧୀରେ ବଢ଼ିବାକୁ ଲାଗିଥାଏ । ଉତ୍ତରାୟନ ଓ ଦକ୍ଷିଣାୟନ ପାଇଁ ବର୍ଷକୁ ଆମେ ଦୁଇଥର ଶୂନ୍ୟ ଛାୟା ଦିବସ ପାଳନ କରିଥାଉ । ଏହା ଗୋଟିଏ ଅଞ୍ଚଳରେ ଏକା ଥରକେ ଦେଖାନଯାଇ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖାଯାଇଥାଏ ।

ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ପ୍ରତ୍ୟେକ ଦିନ ଅସ୍ତ ହେଉଥିଲେ ହେଁ ସୂର୍ଯ୍ୟ ପ୍ରତ୍ୟେକ ଦିନ ଅଲଗା ଅଲଗା ସ୍ଥାନରୁ ଉଦୟ ହୋଇଥାନ୍ତି । ଯେହେତୁ ଆମର ପୃଥିବୀ ତା’ର ଅକ୍ଷ ସହିତ ୨୩.୫ ଡିଗ୍ରୀରେ ଢଳି ରହିଛି ତେଣୁ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଲା ବେଳେ ସୂର୍ଯ୍ୟ କିଛିଦିନ ପାଇଁ ଉତ୍ତର ଦିଗରେ ଓ ଆଉ କିଛିଦିନ ପାଇଁ ଦକ୍ଷିଣ ଦିଗରେ ଉଦୟ ହେବା ଭଳି ଜଣାପଡ଼େ ।

ପୃଥିବୀର ମଧ୍ୟଭାଗରେ ବିଷୁବରେଖା ରହିଥିବା ବେଳେ ତା’ର ୨୩ ଡିଗ୍ରୀ ଉପରକୁ ରହିଛି କର୍କଟକ୍ରାନ୍ତି ଓ ମକରକ୍ରାନ୍ତି । ଉକ୍ତ ୨୩ ଡିଗ୍ରୀ ମଧ୍ୟରେ ଯେଉଁ ଅଞ୍ଚଳ ରହିଥାଏ, ବର୍ଷର ଏପରି ୨ ଦିନରେ ସୂର୍ଯ୍ୟ ଅପରାହ୍ଣରେ ଠିକ୍ ଆମର ମୁଣ୍ଡ ଉପରେ ରହିଥାଏ । ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଫଳରେ ଛାଇ ଆଦୌ ଦେଖାଯାଏ ନାହିଁ, ଫଳରେ ଶୂନ୍ୟ ଛାୟା ଦିବସ ହୋଇଥାଏ ।

Get real time updates directly on you device, subscribe now.