fbpx

କମାଲ ଦେଖାଇଲେ ଓଡ଼ିଆ ଝିଅ: ଝୋଟିପକା କଳସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଛି ଓଡ଼ିଆ କଳା । ପୁଣି ସାରା ଦେଶରେ ଚମକିଛନ୍ତି ଓଡ଼ିଆ ଝିଅ । ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ପାଇଁ ମୋଦିଙ୍କ ଦ୍ୱାରା ଚୟନ କରାଯାଇଛି ହାତ ତିଆରି ଝୋଟି ପକା କଳସ । ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି ଏହାର ଡିଜାଇନ ବନାଇଛନ୍ତି ।

ଶିକ୍ଷାବିତ୍ ବିଜୟ କୁମାର ମହାନ୍ତି ଏବଂ ଶ୍ରୀମତୀ ରେଣୁବାଳା ମହାନ୍ତିଙ୍କ ଝିଅ ସୂର୍ଯ୍ୟସ୍ନାତା ନିଜ ହାତରେ ଏ ସମସ୍ତ କଳସ ଉପରେ ଝୋଟି ଆଙ୍କିଛନ୍ତି । ତେବେ ତାଙ୍କର ଏହି କଳାକୁ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହା ସହ ଓଡ଼ିଆ କଳା ଓ ପରମ୍ପରାକୁ ମଧ୍ୟ ବେଶ ଉଚ୍ଚକୋଟୀର କହି ବେଶ ପ୍ରଶଂସା କରିଛନ୍ତି ମୋଦି ।

ତେବେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂର୍ଯ୍ୟସ୍ନାତା କହିଛନ୍ତି ଯେ- “ମୁଁ କେବେ ଭାବି ନଥିଲି ମୋ’ ହାତ ତିଆରି କଳସ ପ୍ରଧାନମନ୍ତ୍ରୀଙ୍କ ଏତେ ପସନ୍ଦ ଆସିବ । ତେବେ ଏହି କାମକୁ ଶେଷ କରିବା ପାଇଁ ମତେ ତିନି ଦିନ ସମୟ ଲାଗିଥିଲା । ବାକି ରହିଲା ଓଡ଼ିଶା କଥା ତ ଓଡ଼ିଶାରେ ପ୍ରତିଘରେ ଜଣେ ଜଣେ କଳାକାର ରହିଛନ୍ତି । ମୁଁ ଛୋଟବେଳୁ ମାର୍ଗଶିର ମାସରେ ପ୍ରତ୍ୟେକଙ୍କ ଘରେ ଝୋଟି ଚିତା ଦେଖିଆସୁଛି । ତେଣୁ ମୁଁ ସବୁବେଳେ କୁହେ ଯେ କଳାର କୌଣସି ସୀମା ନଥାଏ ।”

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ଏହି ଅମୃତ କଳସ ଅଭିଯାନର ଘୋଷଣା କରିଥିଲେ । ତେବେ ଏହି ଅଭିଯାନ ସାରା ଦେଶରେ କରାଯାଇଥିଲା । ପ୍ରାୟ ୭,୫୦୦ଟି ଗ୍ରାମପଞ୍ଚାୟତରୁ ମାଟି ଆଣି ୭,୫୦୦ ଜଣ ଯୁବକ କର୍ତ୍ତବ୍ୟ ପଥରେ ଏକାଠି ହୋଇଥିଲେ । ତେବେ ଏହି ଅଭିଯାନ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯୋଦ୍ଧାମାନଙ୍କ ସ୍ମୃତିରେ କରାଯାଇଥିଲା ।

 

Get real time updates directly on you device, subscribe now.