fbpx

ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଛି ରାତି ଅଧରେ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା ଏଭଳି ଏକ ବୃତ୍ତି ଯେଉଁଥିରେ ଅନେକ ଯୁବକ, ଯୁବତୀଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାମାନଙ୍କରେ ରାତିରେ ବି କାମ କରିବାକୁ ପଡ଼ିଥାଏ । ଅନେକ ସାମ୍ବାଦିକ ଭାଇ ରାତି ୨ଟାରେ ବି ଘରକୁ ଫେରିଥାନ୍ତି । ପେଟ ପୋଷିବାର ଏଇ ସଂଘର୍ଷ ଭିତରେ ଅନେକ ସମୟରେ ସାମ୍ବାଦିକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ରହିଥିବା ଗଣମାଧ୍ୟମ ସଂସ୍ଥାମାନଙ୍କରୁ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ଅନେକ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥାଏ । କିଛି ଅସାମାଜିକ ବ୍ୟକ୍ତି ଏକୁଟିଆ ଦେଖି ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥାନ୍ତି ।

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବହୁବାର ଆକ୍ରମଣ ହୋଇଥିବା ବେଳେ ନିକଟରେ ଏଭଳି ଦୁଇଟି ବଡ଼ ଘଟଣା ଦେଖିବାକୁ ମିଳିଛି । କିଛି ମାସ ତଳେ ‘ବଡ଼ ଖବର’ରେ କାର୍ଯ୍ୟରତ ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ୪ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣରେ ସାମ୍ବାଦିକ ଜ୍ୟୋତି ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କର ଶରୀର ରକ୍ତାକ୍ତ ହୋଇଯାଇଥିଲା । ଉକ୍ତ ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ସେହିପରି ଗତ ୧୮ ତାରିଖ ରାତିରେ ଆଉ ଜଣେ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ଦୈନିକ ଖବର କାଗଜ ‘ଧରିତ୍ରୀ’ରେ କାର୍ଯ୍ୟରତ ସାମ୍ବାଦିକ ସରୋଜ ଜେନାଙ୍କୁ ରାତି ଅଧରେ କିଛି ଅସାମାଜିକ ବ୍ୟକ୍ତି ପଥରେ ଛେଚି ରକ୍ତାକ୍ତ କରିଦେଇଥିଲେ । ଅଫିସରୁ କାର୍ଯ୍ୟ ସାରି ସରୋଜ ବଡ଼ଗଡ଼ ନିକଟସ୍ଥ ନିକଟସ୍ଥ ନିଜ ଘରକୁ ଫେରୁଥିବା ବେଳେ ଏହି ଆସାମାଜିକ ବ୍ୟକ୍ତିମାନେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ପ୍ରତିରୋଧ କରିବାରୁ ସେମାନେ ସରୋଜଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ । ପରେ ପିସିଆର ଆସି ସରୋଜଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ତେବେ ରାଜଧାନୀରେ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେବା ଏବେ ସେମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜଧାନୀରେ ଏପରି ଅନେକ ଖବରକାଗଜ, ଟିଭି, ୱେବ ପୋର୍ଟାଲ ଆଦି ମିଡ଼ିଆ ସଂସ୍ଥା ରହିଥିବା ବେଳେ ଅନେକ ଯୁବ ସାମ୍ବାଦିକମାନେ ସେହି ସବୁ ସଂସ୍ଥାମାନଙ୍କରେ କାର୍ଯ୍ୟ କରୁଛନ୍ତି । ଅନେକ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡ଼ିଥାଏ । ସାମ୍ବାଦିକ ଭାଇମାନେ ରାତିରେ ଏକୁଟିଆ ଫେରୁଥିବା ବେଳେ ଏପରି ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କର ଫାଇଦା ଉଠାଇବାକୁ ପଛାଇ ନଥାନ୍ତି । କାହାକୁ ଖରାପ ବ୍ୟବହାର କରିଥାନ୍ତି ତ ଆଉ କାହାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥାନ୍ତି । ଏହା କେତେଦିନ ଚାଲିବ? କେତେଦିନ ରାଜଧାନୀର ସାମ୍ବାଦିକ ଅସୁରକ୍ଷିତ ହୋଇ ଚାଲିଥିବେ । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ବିଭନ୍ନ ମହଲରୁ ଦାବି ହୋଇଛି ।

Get real time updates directly on you device, subscribe now.