fbpx

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ‘ମଡେଲ ସିଲାବସ୍’: ବଦଳିବ ସ୍ନାତକୋତ୍ତର ପାଠ୍ୟଖସଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ସ୍ନାତକ (ୟୁଜି) ପାଠ୍ୟକ୍ରମ ପରିବର୍ତ୍ତନ ହୋଇ ‘ମଡେଲ ସିଲାବସ’ ଲାଗୁ ହେବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୨୫-୨୬ ଶିକ୍ଷାବର୍ଷରୁ ସ୍ନାତକୋତ୍ତର (ପିଜି) ପାଠ୍ୟଖସଡ଼ା ବଦଳିବ । ପୂର୍ବ ପ୍ରସ୍ତାବିତ ଯୋଜନା ଅନୁସାରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟ କରୁଛି । ମଡେଲ ସିଲାବସର ୭୫ ପ୍ରତିଶତ କାମ ସମାପ୍ତ ହୋଇସାରିଥିବା ବେଳେ ଏବେ ସମୀକ୍ଷା ଚାଲିଛି । ପାଠ୍ୟଖସଡ଼ା ପ୍ରସ୍ତୁତି ପରେ ଜୁନରେ ତାହାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶେଷ ଥର ପାଇଁ ଗତ ୨୦୨୨ରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ପାଠ୍ୟଖସଡ଼ା ପରିବର୍ତ୍ତନ କରାଯାଇଥିଲା । ପିଜି ପାଠ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ମଡେଲ ସିଲାବସ ପ୍ରସ୍ତୁତ ହୋଇ ନାହିଁ । ତେଣୁ ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ କ୍ରମେ ପିଜି ପାଇଁ ପ୍ରସ୍ତାବିତ ମଡେଲ ପାଠ୍ୟକ୍ରମ ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପିଜି ପାଠ୍ୟକ୍ରମରେ ମଡେଲ ସିଲାବସ ଲାଗୁ କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ।

ତେବେ ଏ ବାବଦରେ ପରିଷଦ ଓ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇ ନଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ନିଆଯାଇ ନାହିଁ । ମାତ୍ର ସ୍ନାତକ ପାଠ୍ୟକ୍ରମ ସହ ଇଣ୍ଟରଲିଙ୍କଡ ପାଠ୍ୟକ୍ରମକୁ ଏହି ପାଠ୍ୟଖସଡ଼ାରେ ସ୍ଥାନିତ କରାଯିବ ବୋଲି ପରିଷଦ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ୟୁନିଭରସିଟି ପରାମର୍ଶ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଉଛି । ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ବୋର୍ଡ ଅଫ୍ ଷ୍ଟଡିଜ୍ ଏହାକୁ ପ୍ରସ୍ତୁତ କରି ବୋଲି ଜଣାପଡ଼ିଛି । ନୂଆ ପାଠ୍ୟକ୍ରମରେ ରିସର୍ଚ୍ଚ, ନିଯୁକ୍ତି ସୁଯୋଗ ନିଯୁକ୍ତି ସୃଷ୍ଟିକାରୀ ଦିଗ ପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମକୁ ସାମିଲ କରାଯିବ ।

Get real time updates directly on you device, subscribe now.