fbpx

(Video) ଆପଣଙ୍କ ଖାତାକୁ ଆସିନି ‘ସୁଭଦ୍ରା’ର ୧ ଟଙ୍କା? ଯୋଜନା ଟଙ୍କା ମିଳିବ କି ନାହିଁ? ଜାଣନ୍ତୁ କ’ଣ କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ରାଜ୍ୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ସରକାର । ଏହି ଟଙ୍କା ପଠାଇବା ପୂର୍ବରୁ ସରକାର ଏକ ଟ୍ରାଏଲ ରନ୍ ମଧ୍ୟ କରିଛନ୍ତି । କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଟ୍ରାଏଲ ଆଧାରରେ ପଠାଯାଇଛି । କିନ୍ତୁ ଅନେକ ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ୧ ଟଙ୍କା ପହଞ୍ଚି ପାରିନାହିଁ । ତେବେ ଏହି ହିତାଧିକାରୀ ବର୍ତ୍ତମାନ ସୁଭଦ୍ରା ଏବଂ ଯୋଜନାରେ ସେମାନଙ୍କର ପ୍ରାପ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି । ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ୧ ଟଙ୍କା ପାଇ ନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ଆସିବ ତ?

ଅନେକ ହିତାଧିକାରୀଙ୍କ ଏହି ପ୍ରଶ୍ନରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ୧ ଟଙ୍କା ଖାତାକୁ ଆସି ନଥିଲେ ମଧ୍ୟ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ । ସେପ୍ଟେମ୍ବର ୧୫ ତାରିଖ ଭିତରେ ପଞ୍ଜୀକରଣ କରିଥିବା ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ ବୋଲି ସରକାର ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାରେ ନିଜ ନାମ ପଞ୍ଜୀକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ସଠିକ ଭାବରେ ଟ୍ରାଞ୍ଜାକ୍ସନ ହେଉଛି କି ନାହିଁ, ତାହା ଜାଣିବାକୁ ଚାହୁଁଥିଲେ ସରକାର । ତେଣୁ ସମସ୍ତଙ୍କ ଆକାଉଣ୍ଟକୁ ସରକାର ପରିକ୍ଷା ମୁଳକ ଭାବେ ୧ ଟଙ୍କା ଲେଖାଏଁ ପଠାଇଛନ୍ତି । ଯେଉଁଥିରେ ଏହା ମଧ୍ୟ ନିଶ୍ଚିତ ହୋଇଯାଉଛି ଯେ ସେହି ଖାତା ଚାଲୁଅଛି । ତେଣୁ ସୁଭଦ୍ରା ଯୋଜନାରେ ସାମିଲ ଥିବା ସମସ୍ତ ମହିଳାଙ୍କ ଖାତାକୁ ଆଗକୁ ସବୁ ଥରର ସୁଭଦ୍ରା ଟଙ୍କା ଆସିପାରିବ ।

ସୂଚନା ମୁତାବିକ, ୧୭ ତାରିଖରେ ସୁଭଦ୍ରା ଟଙ୍କା ଆସିବ । ହେଲେ ଏହା ପୂର୍ବରୁ ପରୀକ୍ଷା କରାଯାଇଛି ଯେ ସଷ୍ଟମ ଠିକ ଭାବରେ କାମ କରୁଛି କି ନାହିଁ । ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ପଠାଯାଇଛି ୧ ଟଙ୍କା । ଯେଉଁ ମାନେ ଯୋଗ୍ୟ, ସେହି ମାନଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପହଞ୍ଚିଛି  । ଏହା ପରେ ୧୭ ତାରିଖରେ ସମ୍ପୂର୍ଣ୍ଣ ଟଙ୍କା ଖାତାକୁ ଯିବ । ଶେଷ ହିତାଧିକାରୀଙ୍କ ପାଖରେ ନ ପହଞ୍ଚିବା ଯାଏଁ ଏହି ଯୋଜନା ଚାଲୁ ରହିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହାସହିତ ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ଭୟଭୀତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.