(Video) ନଦୀରେ ଭାସୁଛି ୧୦ ଓ ୧୦୦ ଟଙ୍କିଆ ନୋଟ୍ ବିଡ଼ା! ଯିଏ ଯେତେ ପାରିଲା ଗୋଟାଇନେଲା

ନୂଆଦିଲ୍ଲୀ: ନଦୀ, ନାଳ, ପୋଖରୀରୁ ମାଛ ଧରିବା ପାଇଁ ଅନେକ ସମୟରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ବିଶେଷ ଗ୍ରାମାଞ୍ଚଳରେ ଏଭଳି ବହୁ ଘଟଣା ଦେଖିବାକୁ ମିଳିଥାଏ । ତେବେ ପାଣିରୁ ନୋଟ ଧରିବା ପାଇଁ ଲୋକଙ୍କର ଭିଡ଼ ଜମିଥିବା କଥା ଆପଣମାନେ କେବେ ଦେଖିଛନ୍ତି କି? ଏହି କଥାଟି ଗପ ଭଳି ଲାଗୁଥିଲେ ହେଁ ଏପରି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ପାଣି ଭିତରେ ପଶି ନୋଟ୍ ଗୋଟାଇ ନେଉଥିବା ଦେଖାଯାଉଛି ।

ସୂଚନା ମୁତାବକ, ବିହାରର ସାସାରାମ ଜିଲ୍ଲାର ମୁରାଦାବାଦ ନିକଟରେ ଥିବା ଏକ ନଦୀରେ ପ୍ରବଳ ମାତ୍ରାରେ ନୋଟ ବିଡ଼ା ରହିଥିବା ନେଇ ସୂଚନା ମିଳିଥିଲା । ଏହି ଖବର ମିଳିବା ପରେ ହଠାତ୍ ଏହି ସ୍ଥାନରେ ଲୋକମାନେ ରୁଣ୍ଡ ହେବାରେ ଲାଗିଥିଲେ । ଯିଏ ଯେତେ ପାରିଲା ପାଣିରୁ ନୋଟ ବଣ୍ଡଲ ଧରି ଘରକୁ ନେଇଯାଇଥିଲା । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ତେବେ ପାଣିରୁ ମିଳୁଥିବା ଏହି ନୋଟ ମଧ୍ୟରୁ ଅଧିକାଂଶ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍ ଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପୋଲିସ ସେଠାରୁ ଲୋକଙ୍କୁ ଚାଲିଯିବାକୁ କହିଥିଲା । ଏହା ଏକ ଗୁଜବ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ଯାଞ୍ଚ ପରେ ସବୁ ସତ ପଦାକୁ ଆସିବ ବୋଲି ପୋଲିସ କହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପାଣି ଭିତରକୁ ଏତେ ମାତ୍ରାରେ ନୋଟ୍ ଆସିଲା କେଉଁଠୁ? ଏହିସବୁ ନୋଟ୍ ନକଲି ନା ଅସଲି? ତେବେ ଏହି ନୋଟ ବ୍ଲାକ ମନି ହୋଇଥାଇପାରେ ବୋଲି ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ସକାଳେ ପାଣିରେ ନୋଟ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସେମାନେ ପାଣିରେ ପହଁରି ପହଁରି ନୋଟ୍ ବଣ୍ଡଲ ଗୋଟାଇ ନେଇଥିଲେ । ଏହାପରେ ନୋଟ୍ ନେବା ଲୋଭରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା ।