fbpx

୧୦ ବଲ୍, ମାତ୍ର ୬ ମିନିଟ୍…. ଗୋଟିଏ ଓଭରରେ ନିଜ ଶତକରେ ପହଞ୍ଚିଲେ ୱିଲ ଜ୍ୟାକ୍ସ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ଷ୍ଟାର ବ୍ୟାଟର ୱିଲ ଜ୍ୟାକ୍ସ । ମାତ୍ର ୪୧ ବଲରୁ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ବେଙ୍ଗଲୁରୁର ଷ୍ଟାର ବ୍ୟାଟର । ଏହି ଇନିଂସରେ ୫ଟି ଚୌକା ସହ ୧୦ଟି ବିଶାଳ ଛକା ସାମିଲ ରହିଛି । ତେବେ ସବୁଠୁ ରୋମାଞ୍ଚକର ହେଉଛି ୱିଲ ଜ୍ୟାକ୍ସ ନିଜ ଅର୍ଦ୍ଧଶତକରୁ ଶତକରେ ପହଞ୍ଚିବା ପାଇଁ ମାତ୍ର ୬ ମିନିଟ୍ ସମୟ ନେଇଥିଲେ । ଏହାବ୍ୟତୀତ ୨ ଓଭରରୁ କମ୍ ବଲ ଖେଳି ସେ ନିଜ ଶତକ ପୂରଣ କରିବାରେ ସଫଳ ହୋଇଛନ୍ତି ।

ବେଙ୍ଗଲୁରୁ ପକ୍ଷରୁ ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କ ୱିକେଟ ପରେ ମଇଦାନକୁ ଆସିଥିଲେ ୱିଲ ଜ୍ୟାକ୍ସ । ତେବେ ପ୍ରଥମ ୧୭ ବଲରୁ ଜ୍ୟାକ୍ସ ୧୭ ରନ୍ କରିଥିବା ବେଳେ ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଏହାପରେ ବିସ୍ଫୋରକ ରୂପ ଦେଖାଇଛନ୍ତି ଜ୍ୟାକ୍ସ । ୧୫ ଓଭରର ଦ୍ୱିତୀୟ ବଲରେ ୱିଲ ଜ୍ୟାକ୍ସ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ୬.୪୧ ସମୟରେ ୱିଲ ଜ୍ୟାକ୍ସ ଏହି ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ମାତ୍ର ୬ ମିନିଟ ପରେ ୬.୪୭ ସମୟରେ ଶତକ ହାସଲ କରିବାରେ ମଧ୍ୟ ସେ ସଫଳ ହୋଇଛନ୍ତି । ଏହା ବର୍ତ୍ତମାନ ଆଇପିଏଲ ଇତିହାସରେ ଏକ ବିଶାଳ ରେକର୍ଡ ସୃଷ୍ଟି କରିଛି । ଅର୍ଦ୍ଧଶତକ ହାସଲ କରିବା ପରେ ମାତ୍ର ୧୦ଟି ବଲରେ ସେ ୫୦-୧୦୦ ରନ ପୂରଣ କରିନେଇଛନ୍ତି ।

ଅର୍ଦ୍ଧଶତକ ପରେ ସେ ୧୦ଟି ବଲରୁ ୬.୨.୬.୪.୦.୬.୬.୪.୬.୬ ମାରି ଅର୍ଦ୍ଧଶତକକୁ ଶତକରେ ପରିଣତ କରିଛନ୍ତି । ୧୫ ଓଭରର ଦ୍ୱିତୀୟ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ୱିଲ ଜ୍ୟାକ୍ସ ୧୬ ଓଭରର ଶେଷ ବଲରେ ଶତକ ପୂରଣ କରିଛନ୍ତି । ଗୁଜୁରାଟର ଦୁଇ ପ୍ରମୁଖ ବୋଲର ମୋହିତ ଶର୍ମା ଏବଂ ରାଶିଦ ଖାନଙ୍କୁ ଟାର୍ଗେଟ କରି ରନ୍ ସଂଗ୍ରହ କରିଥିଲେ ଜ୍ୟାକ୍ସ । ଆଇପିଏଲ ଇତିହାସରେ ଏଭଳି ଏକ ସୃଷ୍ଟି କରି କ୍ରିସ ଗେଲ ଏବଂ ଅନ୍ୟ ଟି-୨୦ ସ୍ପେଶାଲିଷ୍ଟ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ।

Get real time updates directly on you device, subscribe now.