fbpx

ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି

ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ  ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଆବଶ୍ୟକ ପଡିଲେ ରାଜ୍ୟ ସରକାରଙ୍କୁ ତେର୍ଚ୍ଛାବାଣ ମାରିବେ। ନିଜର ବିଧାୟକଙ୍କଠୁ ଏମିତି ଆଶା ରଖିଛନ୍ତି ଧାମନଗର ନିର୍ବାଚନ ମଣ୍ଡଳୀର ବାସିନ୍ଦା। ଏ ନେଇ ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ଖୋଲି ଚିଠି ଲେଖିଛନ୍ତି ଭଦ୍ରକ ଜିଲ୍ଲାର ଯୁବ ବର୍ଗ।  ଆଜିଠୁ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ଚଳିତ ଅଧିବେଶନ ବିଜେପି ପାଇଁ ଭିନ୍ନ ରହିଛି। କାରଣ ଗୃହରେ ଆଉ ଦେଖିବାକୁ ମିଳିବନି ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କୁ। ଆଉ ତାଙ୍କର ଶାଣିତ ସ୍ଵର ବିଧାନସଭାରେ ଶୁଣିବାକୁ ମିଳିବନି। ଏବେ ତାଙ୍କ ସ୍ଥାନ ନେଇଛନ୍ତି ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ।

ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗରରେ ହୋଇଥିଲା ଉପନିର୍ବାଚନ । ଧାମନଗର ଉପନିର୍ବାଚନ ସାରା ରାଜ୍ୟରେ ଯେଉଁଭଳି ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା ତାହା ରାଜ୍ୟର ଉପ ନିର୍ବାଚନ ଇତିହାସରେ ନୂତନ ଅଧ୍ୟାୟ ଯୋଡିଛି । ଉପନିର୍ବାଚନରେ ବାପାଙ୍କ ସ୍ୱପ୍ନ ସହ ଧାମନଗରବାସୀଙ୍କ ଆଶାକୁ ପୂରଣ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ସୂର୍ଯ୍ୟ ବଂଶୀ ସୂରଜ । ଦଳର ପ୍ରଚେଷ୍ଟା ଆଉ ଧାମନଗରବାସୀଙ୍କ ଅକୁଣ୍ଠ ଭଲ ପାଇବା ପରେ ଶାସକ ଦଳକୁ ହରାଇ ବିଜୟ ଟିକା ପିନ୍ଧିଥିଲେ ସୂରଜ ।

ତେବେ ଧାମନଗର ଏକ ଏଭଳି ନିର୍ବାଚନୀ ମଣ୍ଡଳୀ  ଯିଏ ରାଜ୍ୟକୁ ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ନୀଳମଣି ରାଉତ ଦେଇଛି । ଏହି ମାଟିରୁ ଜନ୍ମିତ ଅନେକ ସଂଗ୍ରାମୀଙ୍କର ରାଜ୍ୟ ପାଇଁ ଅବଦାନ ବହୁତ । କେବଳ ଏତିକି ନୁହେଁ ଏଠାକାର ଭୋଟର ମାନେ ମଧ୍ୟ ହକ ପାଇଁ ନେତା ବଛନ୍ତି ଟଙ୍କା ପାଇଁ ନୁହେଁ । ଟଙ୍କା ପାଇଁ ଏଠାକାର ଭୋଟର କେବେ ନିଜର ମୁଣ୍ଡ ବିକି ନାହାନ୍ତି । ସେଥିପାଇଁ ତ ଏଠାରେ ପ୍ରାର୍ଥଙ୍କୁ ଦେଖି ଭୋଟ ଦିଆଯାଏ ଆଉ ଏଠାରେ ଶାସନ ସ୍ଥାୟୀ ନୁହେଁ ସବୁ ବେଳେ ପରିବର୍ତ୍ତନର ସୁର୍ଯ୍ୟ ଉଦୟ ହୋଇଥାଏ ।

ଧାମନଗର ମାଟି ପାଇଁ ବିଷ୍ଣୁ ସେଠୀ ସଦା ସର୍ବଦା ନିଜର ସ୍ୱର ଶାଣିତ କରିଥାଆନ୍ତି । ବିଧାନସଭା ହେଉ ଅବା ବିଧାନ ସଭା ବାହାରେ ହେଉ ଧକ ପାଇଁ ସେ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଥାଆନ୍ତି । ଆଜି ଠାରୁ ବିଧାନସଭାର ଶୀତଅଧିବେସନ ଆରମ୍ଭ ହୋଇଥିବା ବେଳେ ଆଉ ସେ ଶାଣିତ ସ୍ୱର ଶୁଣିବାକୁ ମିଳିବ ନାହିଁ । ଚିର ଦିନ ପାଇଁ ନୀରବି ଯାଇଥିବା ବିଷ୍ଣୁ ସେଠୀଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ସତ କିନ୍ତୁ ଏହି ଧାମନଗରବାସୀଙ୍କ ହକ ପାଇଁ ସ୍ୱର ଉଠାଇବାକୁ ଆଜି ପ୍ରଥମ ଥର ନବନିର୍ବାଚିତ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଧାନସଭା ଗୃହରେ ପାଦ ରଖିଥିଲେ ।

ନିମ୍ନଲିଖିତ ପ୍ରସଙ୍ଗ

୧. ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ।
୨. ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ।
୩. ଧାମନଗରରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପଦକ୍ଷେପ ।
୪. ଧାମନଗର ନିର୍ବାଚନମଣ୍ଡଳୀରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ।
୫. ଧାମରା ବନ୍ଦରରେ ଜିଲ୍ଲାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ।
୬. ମନ୍ତେଇ ନଦୀରେ ସେତୁ ନିର୍ମାଣ ।
୭. ଧୂଷୁରି ଅଞ୍ଚଳକୁ ବ୍ଲକରେ ରୂପାନ୍ତର ।
୮. ଜିଲ୍ଲାର ବିଭିନ୍ନ ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳର ଉନ୍ନତିକରଣ ।
୯. ବାସୁଦେବପୁର, ଚାନ୍ଦବାଲିର ଉପାନ୍ତ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବାର ସୁଦୃଢ଼ୀକରଣ ।
୧୦. ଭଦ୍ରକରୁ ଧାମରା ପାସେଞ୍ଜର ରେଳ ଚଳାଚଳ ଆଦି ସାମିଲ ଅଛି ।

ସରକାରଙ୍କ ଅବହେଳାର ଶୀକାର ହୋଇଆସୁଥିବା ଭଦ୍ରକ ଜିଲ୍ଳାର ସମସ୍ୟା ଜଣାଇବା ପାଇଁ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକ ୧୦ଦଫା ଦାବି ପତ୍ର ଭଦ୍ରକ ଯୁବ ବର୍ଗଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ । । ସମଗ୍ର ଭଦ୍ରକବାସୀଙ୍କ ଆଶା ଯେ  ଯୁବ ବିଧାୟକ ବିଧାନସଭାବରେ ଏହି ସବୁ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେବେ । ଏହା ସହିତ ଧାମନଗରବାସୀଙ୍କ ଅସୁବିଧାକୁ ଦୂର କରିବାକୁ ସ୍ଵର ଶାଣିତ କରିବେ ।

Get real time updates directly on you device, subscribe now.