ସୀମାରେ ମିଳିଲା ବଡ଼ ସଫଳତା: ୧୦ ମାଓବାଦୀ ନିହତ, ଅପରେସନ ଜାରି
ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ୧ ଏସଏଲଆର ସମେତ ଆଇଇଡି ଉଦ୍ଧାର
ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅପରେସନରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ତେବେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।
ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ୧ ଏସଏଲଆର ସମେତ ଆଇଇଡି ଉଦ୍ଧାର କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
ଜାନୁଆରୀ ୧୯ (ରବିବାର) ରାତିରୁ, ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୀମାରୁ ମାତ୍ର ୫ କିଲୋମିଟର ଦୂରରେ ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିଥିଲା।
ତଦନୁସାରେ, ଛତିଶଗଡ଼ ପୋଲିସ ଏବଂ ସିଆରପିଏଫର ଇ-୩୦ ବାହିନୀ ସହିତ ଏସ୍ଓଜି (ଓଡିଶା ପୋଲିସ)କୁ ନେଇ ଏକ ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ କରାଯାଇଥିଲା।