fbpx

(Video) ଏକ ଅଦ୍ଭୂତପୂର୍ବ ପଦକ୍ଷେପ: କର୍ମଚାରୀଙ୍କୁ ୩୩ ପ୍ରତିଶତ ମାଲିକାନା ପ୍ରଦାନ କଲା ୧୦୦ ମିଲିୟନ ଡଲାର ମୂଲ୍ୟର ଏକ ଟେକ ଫାର୍ମ

ନୂଆଦିଲ୍ଲୀ: ଅନେକ ସମୟରେ ଚାକିରିରେ ଦରମା ନ ବଢ଼ିବା, ଖରାପ ଅଫିସ ପରିବେଶ, ମାଲିକଙ୍କ ପକ୍ଷରୁ ଚାପ ଆଦି ବିଭିନ୍ନ କାରଣରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ୧୦୦ ମିଲିୟନ ଡଲାର ମୂଲ୍ୟର ଏକ ଟେକ ଫାର୍ମ ତା’ର କର୍ମଚାରୀଙ୍କୁ ୩୩ ପ୍ରତିଶତ ମାଲିକାନା ପ୍ରଦାନ କରିବ । କମ୍ପାନୀର ଏହି ଅଦ୍ଭୂତପୂର୍ବ ପଦକ୍ଷେପକୁ ନେଇ ଏବେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଭାରତରେ ମୁଖ୍ୟାଳୟ ରହିଥିବା ଏକ ଟେକ ଫାର୍ମ ଆଇଡିଆଜ୨ଆଇଟି ନିକଟରେ ଏକ ବଡ଼ ଘୋଷଣା କରିଛି । ୧୦୦ ମିଲିୟନ ଡଲାର ବିଶିଷ୍ଟ ଏହି କମ୍ପାନୀ ତା’ର କର୍ମଚାରୀଙ୍କୁ ୩୩ ପ୍ରତିଶତ ମାଲିକାନା ହସ୍ତାନ୍ତର କରିବ । କମ୍ପାନୀର ୩୩ ପ୍ରତିଶତ ଅଂଶଧନ ମଧ୍ୟରୁ ୫ ପ୍ରତିଶତ ୪୦ ଜଣ ବଛା ବଛା କର୍ମଚାରୀଙ୍କୁ ଦିଆଯିବ । ଗତ ୨୦୦୯ ମସିହାରେ କମ୍ପାନୀର ସ୍ଥାପନା ସମୟରୁ ରହି ଆସିଥିବା କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ ଓ ଅବଶିଷ୍ଟ ଅଂଶଧନକୁ କମ୍ପାନୀର ଅନ୍ୟ ୭୦୦ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏଥିସହିତ ୫ ବର୍ଷରୁ ଅଧିକ ବର୍ଷ କାର୍ଯ୍ୟ କରିଥିବା ୫୦ ଜଣ କର୍ମଚାରୀଙ୍କୁ କମ୍ପାନୀ ୫୦ଟି କାର ମଧ୍ୟ ପ୍ରଦାନ କରିବ ।

ଏନେଇ କମ୍ପାନୀର ପ୍ରତିଷ୍ଠାତା ମୁରଲୀ ବିବେକାନନ୍ଦ କହିଛନ୍ତି, ୨୦୦୯ ମସିହା ପ୍ରାରମ୍ଭରୁ ଆମେ ୧୦୦ ମିଲିୟନ ଡଲାରର କମ୍ପାନୀରେ ପରିଣତ ହୋଇଯାଇଥିଲୁ । ଆମେ ଏହାର ଫାଇଦା କର୍ମଚାରୀଙ୍କ ସହିତ ଶେୟାର କରିବାକୁ ଚାହୁଁଛୁ । ଆମ କମ୍ପାନୀରେ ମୋଟ ୭୫୦ ଜଣ ଭାରତ, ଆମେରିକା ଓ ମେକ୍ସିକୋରେ ରହିଛନ୍ତି । କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟ ସମୟର ୩୦-୪୦ ପ୍ରତିଶତ ସମୟ କମ୍ପାନୀକୁ ଦେଇଥିଲେ । ବଡ଼ ଲକ୍ଷ୍ୟ ଓ ଖୁସିର ଯାତ୍ରା ଉପରେ ଆମେ ବିଶ୍ୱାସ କରୁ । ଏହି ପଦକ୍ଷେପ କର୍ମଚାରୀଙ୍କ କାର୍ଯ୍ୟର ଅନୁଭବକୁ ବଦଳାଇବା ସହ କମ୍ପାନୀ ସହିତ ଭାବନାତ୍ମକ ଭାବେ ଯୋଡ଼ିହେବାରେ ସହାୟକ ହୋଇ ପାରିବ ।

Get real time updates directly on you device, subscribe now.