fbpx

ଓଡ଼ିଶା ଦେଶରେ ପ୍ରଥମ: ରାଜ୍ୟର ୮୫ଟି ସହରରେ ଶତ ପ୍ରତିଶତ ପାଇପ୍ ଜଳ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ରାଜ୍ୟବାସୀଙ୍କ ହିତ ପାଇଁ ଅନେକ ନୂଆ ନୂଆ ଯୋଜନା ହାତକୁ ନେଇଥାନ୍ତି । ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନର କନଭେନ ସେଣ୍ଟରରେ ଜଳସାଥୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଜଳସାଥୀଙ୍କ ଯାତାୟତ ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜଳସାଥୀମାନେ ରାଜ୍ୟ ସରକାରଙ୍କ ଜଳ ଯୋଗାଣ ବିଭାଗ ଓ ଉପଭୋକ୍ତାଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ସେମାନେ ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତାକୁ ପ୍ରତିପାଦିତ କରିପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କୁ ଜଳଯୋଗାଣ କରିବାରେ ସାମିଲ ହୋଇଛନ୍ତି ।

ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ୧୧୪ଟି ସହର ମଧ୍ୟରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଜଳଯୋଗାଣରୁ ରାଜ୍ୟ ସରକାର ୬୭ କୋଟି ଟଙ୍କାର ଜଳକର ଆଦାୟ କରିଛନ୍ତି । ୫ଟି-ଉପକ୍ରମ ମାଧ୍ୟମରେ ୩ ବର୍ଷ ଆରମ୍ଭ ହୋଇଥିବା ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ କାର୍ଯ୍ୟକ୍ରମକୁ ଜଳସାଥୀମାନେ ଆଜି ସାରା ଓଡ଼ିଶାରେ ସଫଳତାର ସହ ପରିଚାଳନା କରୁଛନ୍ତି । ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦିଆଯାଉଛି । ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀଙ୍କ ଭାଗିଦାରିତାକୁ ନେଇ ରାଜ୍ୟ ସରକାର ଗର୍ବିତ । ଏହା ଆଗାମୀ ଦିନରେ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ ବୋଲି ସିଏମ୍ କହିଥିଲେ ।

Get real time updates directly on you device, subscribe now.