fbpx

ଅଫଲାଇନରେ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଛି ଅଫଲାଇନ୍ ପରୀକ୍ଷା । ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେଉଛି ।

ତେବେ ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରିବୁ ବୋଲି ଗତକାଲି ଗୁରୁବାର ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ପ୍ରି-ବୋର୍ଡ ପରୀକ୍ଷା ଆଦୌ ଦେଇ ନ ଥିଲେ ସେମାନଙ୍କ ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ । ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା । ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଗତ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା କରାଯାଉଥିଲା । ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ । ମାତ୍ର ଶେଷ ମୁହୂର୍ତ୍ତରେ କରୋନା ସଂକ୍ରମଣ ଯୋଗୁ ତଥା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରୁ ସରକାର ପରୀକ୍ଷା ବାତିଲ କରିଥିଲେ । ମାତ୍ର ସରକାରଙ୍କ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ହୋଇପାରି ନ ଥିଲେ ବହୁ ଛାତ୍ରଛାତ୍ରୀ । ପାତରଅନ୍ତର ନୀତି ଯୋଗୁ ତ୍ରୁଟି ପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଅଫଲାଇନ୍‌ ପରୀକ୍ଷା ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.