fbpx

ବାତ୍ୟାରେ ପବନର ବେଗ ୧୦୦ କିମି, ମୁକାବିଲା ପାଇଁ ୧୨୫ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ୧୨ ଘଣ୍ଟାରେ ଏହା ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି । ଅନ୍ୟପଟେ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ଜିଲ୍ଲାରେ ୧୨୫ଟି ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । ଏହା ଛଡ଼ା କଟକର ନରାଜଠାରେ ୪୬ଟି ଉଦ୍ଧାରକାରୀ ଦଳ ପ୍ରସ୍ତୁତ ଅଛନ୍ତି । କଟକ, ଭୁବନେଶ୍ୱର ଓ ପୁରୀ ସହରରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଦିଗ ବଦଳାଇଲେ ବି ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ଆଧୁନିକ ଯନ୍ତ୍ରପାତିରେ ପୁନରୁଦ୍ଧାର ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ‘ଏବେ ୱେଲମାର୍କ ଲୋପ୍ରେସର ରହିଛି, ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ । ଡିପ୍ରେସନ ହେଲା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ବାତ୍ୟାରେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବ । ପବନ ବେଗ ତା’ଠାରୁ ଅଧିକ ହେବା ଆଶଙ୍କା ନାହିଁ । ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ୪ ତାରିଖ ଅପରାହ୍ନ ବେଳକୁ ପବନ ୭୦ରୁ ୯୦ କିମି ପର୍ଯ୍ୟନ୍ତ ବହିବ । ବାତ୍ୟା ଉପକୂଳ ଅତିକ୍ରମ କରିବା କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନି । ଡିପ୍ରେସନରେ ପରିଣତ ହେଲା ପରେ ସେନେଇ ସ୍ପଷ୍ଟ କରିହେବ ।’

Get real time updates directly on you device, subscribe now.