ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଶାନ୍ତି ରକ୍ଷା କରିବା ନିମେନ୍ତ ଭାରତ ଓ ଚୀନ ମଧ୍ୟରେ ୧୩ ରାଉଣ୍ଡର କମାଣ୍ଡର ସ୍ତରୀୟ ବୈଠକ ହେବାକୁ ଯାଉଛି । ରବିବାର ଦିନ ଅର୍ଥାତ୍ ଆଜି ୧୦ଟା ୩୦ ମିନିଟ୍ ରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକଟି ୧୦ଟା ୩୦ ମିନିଟ୍ ରେ ଚୀନ ପଟରେ ରହିଥିବା ମୋଲ୍ଦୀ ବୋର୍ଡର୍ ପଏଣ୍ଟରେ ବସିବ । ଏଥିରେ ଭାରତ, ନିଜର ଶେଷ ସୀମା ପାଖରେ ଚୀନ ସେନାର ମୁତୟନକୁ ହଟାଇବା ଉପରେ ଜୋର ଦେବ ବୋଲି କୁହାଯାଉଛି । ଏହା ବ୍ୟତୀତ ଡେପସାଙ୍ଗ ଏବଂ ଦେମଚୋକ ପ୍ରସଙ୍ଗ ଉପରେ ବି ଆଲୋଚନା-ପର୍ଯ୍ୟାଲୋଚନା ହେବ ।
ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ଦୁଇ ଦେଶ ମଧ୍ୟରେ ୧୨ତମ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା । ଏହା ପାଖାପାଖି ୯ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଏବଂ ଅନ୍ୟ ସମସ୍ୟା ଜନିତ ସ୍ଥାନରୁ ସେନା ହଟାଇବା ପ୍ରସଙ୍ଗ ଉପରେ ଭାରତ ଜୋର ଦେଇଥିଲା । ବୈଠକରେ ଦୁହିଁଙ୍କ ପକ୍ଷରୁ ପୂର୍ବ ଲଦାଖରେ ସେନା ଗତିରୋଧ କୁ ଶେଷ କରିବା ପାଇଁ କଥାବାର୍ତ୍ତା ହୋଇଥିଲା । କିନ୍ତୁ ଏଥିରୁ କୌଣସି ସୁଫଳ ମିଳିପାରିନଥିଲା । ନିକଟରେ ପୁଣିଥରେ ସୀମାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।