fbpx

ଦିପାବଳୀ ଯାତ୍ରା ହେଲା ଶେଷ ଯାତ୍ରା: ଲିଭିଗଲା ୧୪ ଜଣଙ୍କ ଜୀବନ, ୩୫ ଜଣ କରୁଛନ୍ତି ମରଣ ସହ ସଂଘର୍ଷ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଦେଶବାସୀ ବଡ଼ ଧୁମଧାମରେ ମନାଇବେ ଆଲୋକର ପର୍ବ ଦିପାବଳୀ । ଏହି ଅବସରରେ ଦୂରଦୂରାନ୍ତାରେ ରହୁଥିବା ଲୋକମାନେ ଦୀପାବଳୀରେ ନିଜ ଘରକୁ ଆସିଥାନ୍ତି । ତେବେ ଦିପାବଳୀ ପାଇଁ ଘରକୁ ଫେରୁଥିବା ବେଳେ ଘଟିଛି ଏକ ଭୟଙ୍କର ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ରିବା ନିକଟସ୍ଥ ଜାତୀୟ ରାଜପଥ ୩୦ରେ ଏକ ବଡ଼ଧରଣର ଦୁର୍ଘଟଣା ହୋଇଥିଲା । ଗତକାଲି ରାତି ପାଖାପାଖି ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉତ୍ତରପ୍ରଦେଶର ପାସିଂ ବସ ଜବଲପୁରରୁ ରିବା ରାସ୍ତା ଦେଇ ପ୍ରୟାଗରାଜ ଯାଉଥିଲା । ପାହାଡ଼ ଚଢ଼ିବା ସମୟରେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ବସର କ୍ୟାବିନରେ ୩-୪ ଜଣ ଫସି ରହି ଯାଇଥିଲେ । ତେବେ ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଜଣାପଡ଼ି ନାହିଁ ।

ଖବର ପାଇ ଘଟଣାସ୍ଥଳରେ ସୋହାଗୀ ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗମ୍ଭୀର ଭାବେ ଆହତ ହୋଇଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସିଭିଲ ହସ୍ପିଟାଲ ସହିତ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା । ତେବେ ରାସ୍ତାରେ ଅନ୍ୟ ଯାନ ସହ ବସଟି ପିଟି ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ।

Get real time updates directly on you device, subscribe now.