fbpx

ରାଜ୍ୟରେ ବୃଦ୍ଧି ପାଇଛି ଚାଷୀମାନଙ୍କର ଆୟ; ବିଧାନସଭାରେ କହିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କୃଷି ଏବଂ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। ସମସ୍ତ ଯୋଜନା ମାଧ୍ୟମରେ ପ୍ରକୃତ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମୂଳ ପ୍ରଶ୍ନ ଏବଂ ବିଧାୟକ ସ୍ୱରୂପ ଦାସ ଓ ଗଣେଷ ରାମ ସିଂ ଖୁଣ୍ଟିଆଙ୍କ ଅନ୍ୟ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇଛି। ୨୦୧୨ ମସିହାରେ ରାଜ୍ୟରେ କୃଷି ପରିବାରର ମାସିକ ଆୟ ୪ ହଜାର ୯୭୬ ଟଙ୍କା ଥିବାବେଳେ ୨୦୧୯ ମସିହାରେ ଏହା ୫ ହଜାର୧୧୨ ଟଙ୍କାକୁ ବୃଦ୍ଧି ପାଇଥିଲା।

୨୦୧୮- ୧୯ରେ ଦୁଇଟି ବାତ୍ୟା- ତିତ୍‍ଲି ଓ ଫନି ଦ୍ୱାରା ରାଜ୍ୟ ସମ୍ମୁଖୀନ ହୋଇଥିଲା ଏବଂ ଏହା ସହିତ ୨୦୧୮ ଖରିଫ୍‍ରେ ମଧ୍ୟ ରାଜ୍ୟ ମରୁଡିର ସମ୍ମୁଖୀନ ହୋଇଥିଲା। ଏହି ସମୟ ମଧ୍ୟରେ କୃଷି କ୍ଷେତ୍ର ପଶୁପାଳନ ଓ ଅନ୍ୟାନ୍ୟ ସୂତ୍ରରୁ ଚାଷୀର ଆୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେବେ କୃଷକ ପରିବାରର ମାସିକ ଆୟ ଆକଳନ ପ୍ରକ୍ରିୟାରେ ରହିଥିବା ଅସଙ୍ଗତିକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ଅସୁରକ୍ଷିତ ଅବସ୍ଥାରେ ଥିବା ରାଜ୍ୟର ପ୍ରାଥମିକ ବିଦ୍ୟାଳୟମାନଙ୍କର ଶ୍ରେଣୀଗୃହଗୁଡ଼ିକୁ ଭାଙ୍ଗିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଇତିମଧ୍ୟରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶ୍ରେଣୀଗୃହଗୁଡ଼ିକର ନିର୍ମାଣ ଏବଂ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ଶାସକ ଦଳର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏ ସମ୍ପର୍କିତ ମୂଳ ପ୍ରଶ୍ନ ଏବଂ ବିଧାୟକ ଅରବିନ୍ଦ ଢ଼ାଲି, ସି.ଏସ୍‍.ରାଜେନ୍‍ ଏକ୍କା, ସନାତନ ବିଜୁଳି, ରମେଶ ଚନ୍ଦ୍ର ସାଏ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଆବଶ୍ୟକତା ଅନୁସାରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ତତ୍ପରତା ସହ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୨୨-୨୩ ବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩ ହଜାର ୬୮୩ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ୧ ହଜାର ୩ଟି ଶ୍ରେଣୀଗୃହ ନିର୍ମାଣ ପାଇଁ ୧୧ ହଜାର ୮୫୫ ଲକ୍ଷ ୪୬ ହଜାର ଟଙ୍କା ଅନୁମୋଦନ କରାଯାଇଛି। ଏହି ଅର୍ଥକୁ ପଂଚାୟତିରାଜ ବିଭାଗକୁ ହସ୍ତାନ୍ତର କରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.