300 ଫୁଟ ଗଭୀର କୋଇଲା ଖଣିରେ ପସିଲା ପାଣି, ଫସି ରହିଛନ୍ତି 18 ଜଣ ଶ୍ରମିକ! ଉଦ୍ଧାର କାର୍ଯ୍ୟ ଜାରି

ଆସାମର ହସାଓ ଜିଲ୍ଲାର ଦିମାରେ ଥିବା କୋଇଲା ଖଣିରେ ଦୁର୍ଘଟଣା । ଫସିଛନ୍ତି 18 ଶ୍ରମିକ ।

ନୂଆଦିଲ୍ଲୀ: ଆସାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । 300 ଫୁଟ ଗଭୀର କୋଇଲା ଖଣିରେ ଫସିଛନ୍ତି 18 ଜଣ ଶ୍ରମିକ । କୋଇଲା ଖଣିରେ ପାଣି ଭରିଯିବା କାରଣରୁ ଗଭୀର ଖଣିରେ ଶ୍ରମିକ ଫସି ରହିଥିବା ଜଣାପଡିଛି ।

ହସାଓ ଜିଲ୍ଲାର ଦିମାରେ ଏହି ଖଣି ରହିଥିଲା । ରେଟ ହୋଲ ଖଣିରେ ପାଣି 100 ଫୁଟ ଯାଏଁ ପହଞ୍ଚି ଯାଇଥିବା ଖବର ମିଳିଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପମ୍ପ ସାହାଯ୍ୟରେ ପାଣି ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ମେଘାଳୟ ବୋର୍ଡରୁ ଘଟଣାସ୍ଥଳକୁ ଯାଇଛନ୍ତି । ତେବେ ଏହି ଉଦ୍ଧାର କାର୍ଯ୍ୟରେ ସେନାର ସହାୟତା ଲୋଡିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ।

 ରେଟ୍ ହୋଲ୍ କଣ-  ରେଟ୍ ହୋଲ୍ ଖଣି ଏକ ବିପଜ୍ଜନକ ଶୈଳୀ, ଯେଉଁଠାରେ ସଂକୀର୍ଣ୍ଣ ଟନେଲଗୁଡିକ ଶ୍ରମିକମାନଙ୍କ ଦ୍ୱାରା ଖୋଳା ଯାଇଥାଏ । ଏହି ଟନେଲଗୁଡିକ ଅଧିକ ଗଭୀର ରହିଥାଏ, ଯେଉଁଠାରୁ କୋଇଲା ଖନନ କରାଯାଏ ।  ଏହା ଦ୍ବାରା ପରିବେଶକୁ ମଧ୍ୟ କ୍ଷତି ପହଞ୍ଚିଥାଏ । କାରଣ ଖଣିରୁ ନିର୍ଗତ ଅମ୍ଳୀୟ ଜଳ ଏବଂ ଭାରୀ ଧାତୁ କୃଷି ଏବଂ ମାନବ ବ୍ୟବହାର ପାଇଁ ବ୍ୟବହୃତ ଜଳ ଉତ୍ସ ପାଇଁ ବିଷାକ୍ତ ଅଟେ ।