ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ତିନିଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୮୨ ଓ ସ୍ଥାନୀୟ ଅଞ୍ଚଳରୁ ୭୮୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୪୧ ହଜାର ୨୦୪ ରହିଥିବା ବେଳେ ୧୯ ହଜାର ୧୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।