fbpx

ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀ: ଅଗଷ୍ଟ ୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ, ଅକ୍ଟୋବର ୧୫ରୁ ପିଜି ନାମଲେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍‌ ପେକର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ।ଏଥି ସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ମସିହା ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଶେଷ କରାଯିବ । ପିଜି ଶ୍ରେଣୀରେ ନାମଲେଖା ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବ । ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛି।

ଶୁକ୍ରବାର ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ୟୁଜି ଓ ପିଜି ଶେଷ ବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ସଫଳତାର ସହ ସଂପନ୍ନ ହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକଟ କରିଥିଲେ । ଏଥି ସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ ମସିହାର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ ବୋଲି କହିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ କୁଳପତିମାନେ ଯୋଗଦେଇ ୟୁଜି ଓ ପିଜି ଶେଷ ବର୍ଷ/ ଶେଷ ସେମିଷ୍ଟାର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Get real time updates directly on you device, subscribe now.