fbpx

ପୂର୍ବ ଭାରତର ଶିଳ୍ପ ହବ୍‌ ହେବ ଓଡ଼ିଶା: ୧୫୩୭ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୩ ହଜାର ୭ଶହ ୭୩ ଜଣ ପାଇବେ କର୍ମନିଯୁକ୍ତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ୧୪ଟି ଶିଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍‌ଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଅକ୍ଷୟ ଶକ୍ତି ଉତ୍ପାଦନ, ମେଟାଲ ଓ ଆନୁସଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ପୂର୍ବ ଭାରତର ଶିଳ୍ପ ହବ୍‌ । ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ‘ଇଜ ଅଫ ଡୁଇଙ୍ଗ’ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି । ଓଡ଼ିଶାର ଶିଳ୍ପଗୁ଼ଡିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ଅଗ୍ରଗତି ପରିଲଖିତ ହୋଇଛି । କୋଭିଡ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବକୁ ଦୂର କରିଛନ୍ତି ଶିଳ୍ପାନୁଷ୍ଠାନ । ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ଅକ୍ଷୟଶକ୍ତି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ଆଦିତ୍ୟ ବିର୍ଲା ପକ୍ଷରୁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଥିବା ବେଳେ ଏହା ୮୦ରୁ ଉଦ୍ଧ୍ୱର୍ ଲୋକଙ୍କୁ କର୍ମନିଯୁକ୍ତି ଦେବ ।

 

ସେହିପରି ଝାରସୁଗୁଡାରେ ୬୪.୪୩ କୋଟି ପୁଞ୍ଜିନିବେଶରେ ହୋଇଛି ଆଲୁମିନା ରିଫାଇନାରୀ ପ୍ରକଳ୍ପ । ଯେଉଁଥିରେ ୬୪.୪୩ କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ ଏଥିରେ ୧୭୫ ଜଣ ଲୋକ କର୍ମନିଯୁକ୍ତି ପାଇବେ । ଖୋର୍ଦ୍ଧା ଛତାବରରେ ୨୦ କୋଟି ବ୍ୟୟରେ ୱାଇଲ୍ଡ ଲୋଟସ୍‌ ଫ୍ୟାଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କରାଯାଇଥିବା ଗାର୍ମେଣ୍ଟ ୟୁନିଟକୁ ଉଦ୍‌ଘାଟିତ କରାଯାଇଛି । ଏଥିରେ ୭୮୩ ଜଣ ଲୋକ କର୍ମନିଯୁକ୍ତି ପାଇବେ ବୋଲି ସୂଚନା ଦିଆଯାଇଛି ।

ସେହିପରି ପାରାଦୀପରେ ସଲଫ୍ୟୁରିକ ଏସିଡ ସଂପ୍ରସାରଣ ପ୍ରକଳ୍ପ କରିବ ଇଫକୋ । ସୁନ୍ଦରଗଡ ଲହୁଣୀପଡାରେ ହେବ ଲୁହାପଥର ବେନିଫିକେସନ ପ୍ଲାଂଟ । କଟକ ଖୁଂଟୁଣିରେ ହେବ ପିଭିସି ପାଇପ ଉତ୍ପାଦନ ଶିଳ୍ପ । ଖୋର୍ଦ୍ଧାରେ ବ୍ରିଟାନିଆ ପକ୍ଷରୁ କରାଯିବ ବିସ୍କୁଟ ଫ୍ୟାକ୍ଟ୍ରି । ସେହିପରି ଖୋର୍ଦ୍ଧା ଚମ୍ପାଝରରେ ଏନ.କେ ଆନନ୍ଦ ପକ୍ଷରୁ କରାଯିବ ଜୋତା କାରଖାନା । କଟକ ରାମଦାସପୁରରେ ହେବ ଥର୍ମୋ ପ୍ଲାଷ୍ଟିକ ପାଇପ କାରଖାନା, ଭାରତ ମସଲା ପକ୍ଷରୁ ରାମଦାସପୁରରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌, ଚୌଦ୍ୱାରରେ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ, ଅର୍ଗାନିକ ଫର୍ଟିଲାଇଜର ଉତ୍ପାଦନ ୟୁନିଟ ଓ ନୁଡୁଲସ ଉତ୍ପାଦନ କାରଖାନା ହେବ ।

ଏହି ଉଦ୍‌ଘାଟନୀ ସମାରୋହରେ ଭିଡିଓ କନ୍ସଫରେନ୍ସି ମାଧ୍ୟମରେ ଶିଳ୍ପମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଥିଲେ ଯେ, ଓଡ଼ିଶା ଏବେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏହି ଅବସରରେ ବ୍ରିଟାନିଆ ଇଣ୍ଡିଷ୍ଟ୍ରୀଜ୍‌ର ପରିଚାଳନା ନିର୍ଦ୍ଦେଶକ ବରୁନ ବେରୀ, ବେଦାନ୍ତର କାର୍ଯ୍ୟକାରୀ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ, ୱାଇଲ୍ଡ ଲୋଟସ ଟେକ୍ଟଟାଇଲର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଆଦିତ୍ୟ ବିର୍ଲା ଅକ୍ଷୟ ଶକ୍ତିର ସଭାପତି ଅମିତାଭ ବର୍ମା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ୍‌ ତ୍ରିପାଠୀ ଓ ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ଏମ୍‌ଡି ବିଏସ୍‌ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.