fbpx

ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ୧୯ ଚୋରା ବାଇକ୍‌ ଉଦ୍ଧାର, ୭ ଗିରଫ

ଖୁବଶୀଘ୍ର ମାଲିକମାନେ ଫେରିପାଇବେ ବାଇକ୍

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗଞ୍ଜାମ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ଜିଲ୍ଲାର ଭଞ୍ଜନଗର, ବୁଗୁଡା ବେଲଗୁଣ୍ଠା ଥାନା ସମେତ ବ୍ରହ୍ମପୁର ପୁଲିସ ଜିଲ୍ଲା, କନ୍ଧମାଳ, ରାୟଗଡା ଓ ସୁବର୍ଣ୍ଣୁର ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଏହି ମୋଟର ସାଇକେଲ ଚୋର ରାକେଟ୍‌ କାମ କରୁଥିଲା । ଗତ ୩ ତାରିଖରେ ଭଞ୍ଜନଗର ଥାନା ଅନ୍ତର୍ଗତ ଝାଙ୍କରାଇ ଠାକୁରାଣୀ ପୀଠରୁ ନିକଟସ୍ଥ ତନରଡା ଗ୍ରାମର ସନିଆ ମଲ୍ଲିକଙ୍କ ଏକ ମୋଟର ସାଇକେଲ ଚୋରୀ ହୋଇଯାଇଥିଲା । ଏ ସଂପର୍କରେ ସେ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଭଞ୍ଜନଗର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସେହିପରି ବୁଗୁଡା ଥାନା ଇଲାକାରେ ମଧ୍ୟ ଅନୁରୂପ ଭାବରେ ମୋଟର ସାଇକେଲ ଚୋରୀ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏହି ଘଟଣାରେ ଭଞ୍ଜନଗର, ବୁଗୁଡା ଓ ବେଲଗୁଣ୍ଠା ପୁଲିସ ମିଳିତଭାବେ ଏହି ମୋଟର ସାଇକେଲ ଚୋରୀ ଘଟଣାକୁ ଗମ୍ଭୀରତାର ସହ ନେଇ ଅନୁସନ୍ଧାନ ଆରମ୍ଭ କରିବାସହ ଏଥିରେ ସଂପୃକ୍ତି ଅଭିଯୋଗରେ ଭଞ୍ଜନଗର ପାର୍କ ରୋଡର ପିଣ୍ଟୁ ମହାନ୍ତି ଓ ବୁଗୁଡା ଥାନା ବିଷ୍ଣଚକ୍ର ଗ୍ରାମର ଅଜିତ୍‌ ପଟ୍ଟନାୟକଙ୍କୁ ଧରିଥିଲା । ପରେ ଏମାନଙ୍କୁ ପଚରାଉଚୁରା କରାଯିବାପରେ ଏକ ବଡଧରଣର ମଟର ସାଇକେଲ ରାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା । ଏମାନଙ୍କ ସୂଚନା ପ୍ରକାରେ ପୁଲିସ ମିଳିତଭାବେ ବିଭିନ୍ନ ସ୍ଥାନରେ ଚଢଉ କରି ବୁଗୁଡା ଥାନା ଚିରିକିଡା ଗ୍ରାମର ବିଭୁତି ଚନ୍ଦ୍ର ପଟ୍ଟନାୟକ, ଗୋଲିଆ ଗ୍ରାମର ପ୍ରସନ୍ନ କୁମାର ବାଡତ୍ୟା, ବୁଗୁଡା ଥାନା କୁଶାପଲ୍ଲୀ ଗ୍ରାମର ସନ୍ତୋଷ ଗୌଡ, ଗୋଲିଆ ଗ୍ରାମର ମନୋଜ ପ୍ରଧାନ ଓ ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମର ବାପି ଓରଫ ଗୌରାଙ୍ଗ ବିଶୋୟୀଙ୍କୁ ଗିରଫ କରିଥିଲା । ଉଭୟ ଅଜିତ୍‌ ଓ ପିଣ୍ଟୁ ମହାନ୍ତି ମୋଟର ସାଇକେଲ ଚୋରୀ କରି ଆଣିବାପରେ ଉପରୋକ୍ତ ୫ଜଣଙ୍କ ନିକଟରେ ଏହି ମୋଟର ସାଇକେଲକୁ ବିକ୍ରି ପାଇଁ ଦେଉଥିଲେ । ଏହି ଅଭିଯୁକ୍ତମାନେ ମୋଟର ସାଇକେଲ ଓ ତାର ବିଭିନ୍ନ ପାର୍ଟସ୍‌ ବାହାର କରି ଲୋକଙ୍କୁ ବିକ୍ରି କରୁଥିଲେ । ଏମାନଙ୍କ ନିକଟରୁ ମିଳିଥିବା ମୋଟ ୧୯ଟି ବାଇକ୍‌ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା, ବେଲଗୁଣ୍ଠା ଥାନା, ବୁଗୁଡା ଥାନା, ବ୍ରହ୍ମପୁର ପୁଲିସ ଜିଲ୍ଲାର ବଡବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଓ ସାରଙ୍ଗଗଡ ଥାନା ତଥା ସୁବର୍ଣ୍ଣୁର ଜିଲ୍ଲାର ସୋନପୁର ଥାନା ଆଦି ରହିଛି । ଚୋରୀ ମୋଟର ସାଇକେଲ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର ହୋଇଥିବା କେତେକ ମୋଟର ସାଇକେଲ ସଂପର୍କରେ କିଛି ତଥ୍ୟ ମିଳିପାରିନାହିଁ ବୋଲି ଭଞ୍ଜନଗର ଠାରେ ଆୟୋଜିତ ଏକ ପ୍ରେସମିଟ୍‌ରେ ଭଞ୍ଜନଗର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକଙ୍କ ସୂଚନା ମୁତାବିକ ଅଭିଯୁକ୍ତମାନେ ବିଭିନ୍ନ ସହରର ଜନଗହଳି ପୂର୍ଣ୍ଣ ସ୍ଥାନରୁ ପାର୍କିଂ ହୋଇଥିବା ମୋଟର ସାଇକେଲ ଉପରେ ନଜର ରଖି ଏସବୁ ମୋଟର ସାଇକେଲର ଚାବି ଭାଙ୍ଗି ତାକୁ ଉଠାଇ ନେଇଥାନ୍ତି । ପରେ ଏସସବୁ ମୋଟର ସାଇକେଲକୁ ଏମାନେ ଶାଗମାଛ ଦରରେ ବିକ୍ରି କରିଥାନ୍ତି । ପରେ ଏହାର ବିଭିନ୍ନ ପାର୍ଟସ ବାହାର କରାଯାଇ ମଟର ସାଇକେଲକୁ ଅଲଗା ଅଲଗା କରି ଏହାକୁ ବିକ୍ରି କରାଯାଇଥାଏ । ଏହି ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ଥାନାରେ ଅନେକ ଅଭିଯୋଗ ରହିଥିବା ଅତିରିକ୍ତ ଏସପି ମଲ୍ଲିକ ସୂଚନା ଦେଇଛନ୍ତି । ଏହି ପ୍ରେସମିଟ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଏସଡିିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ବୁଗୁଡା ଥାନା ଅଧିକାରୀ ଚିତ୍ତରଂଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଖୁବଶୀଘ୍ର ଉଦ୍ଧାର ହୋଇଥିବା ଚୋରୀ ମୋଟର ସାଇକେଲସବୁକୁ ସଂପୃକ୍ତ ମୋଟରସାଇକେଲର ମାଲିକମାନଙ୍କୁ ଫେରାଇ ଦିଆଯିବବୋଲି ଅତିରିକ୍ତ ଏସପି ମଲ୍ଲିକ ସ୍ପଷ୍ଟ କରିଛନ୍ତି ।

 

Get real time updates directly on you device, subscribe now.