fbpx

ଯୁକ୍ତ ୨ ପରୀକ୍ଷା ବଡ ବିଭ୍ରାଟ: ମିଳୁନି ୧୨ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା

ବାରିପଦା: ମାଟ୍ରିକ ପରେ ବର୍ତ୍ତମାନ ଯୁକ୍ତ ୨ ପରୀକ୍ଷାରେ ଦେଖାଦେଇଛି ବଡ ଧରଣର ବିଭ୍ରାଟ । ପିଲାମାନଙ୍କ ପରୀକ୍ଷା ପ୍ରତି ପ୍ରଶାସନର ଅବହେଳା ନୀତି ଲୋକଲୋଚନକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷାର ସାହିତ୍ୟ ବିଷୟର ୧୨ଟି ଉତ୍ତର ଖାତା ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ସାରା କଲେଜ ଏବଂ ପରୀକ୍ଷାର୍ଥୀଙ୍କ ସହ ଦାୟିତ୍ୱରେ ଥିବା କର୍ମଚାରୀମାନଭ୍କ ଭିତରେ ଭାଳେଣି ପଡିଯାଇଛି । ତେବେ ଏତେ ବ୍ୟବସ୍ଥ ପରେ ବି ଏଭଳି ଘଟଣା କିପରି ସମ୍ଭବ ହୋଇପାରୁଛି ? ଅଭିଯୋଗ ଆସିବା ସହ ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଚିଠି ଆସିବା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଶ୍ରୀମା କଲେଜ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ତାରିଖ ଧାର୍ୟ୍ୟ ହୋଇ ନଥିବାବେଳେ ଖାତା ପ୍ୟାକେଟ କିପରି ଖୋଲିଲା ?ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି ।

ସୂଚନା ଅନୁସାରେ, ଶ୍ରୀମା ମହିଳା ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ରୁମ୍ ନଂ-୯ରେ ୨୪ଜଣ ଛାତ୍ରୀ ପରୀକ୍ଷା ଦେଉଥିଲେ । ସେଥିରେ ଶ୍ରୀମା କଲେଜର ୧୨ ଓ ଝାନ୍ସୀରାଣୀ କଲେଜର ୧୨ ଜଣ ଛାତ୍ରୀ ସାମିଲ ଥିଲେ । ତେବେ ପରୀକ୍ଷା ସରିବା ପରେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ଏକ୍ଜାମିନେସନ ହେଡ୍, ଅବଜରଭର ଏବଂ ପିଅନଙ୍କ ଉପସ୍ଥିତିରେ ସିଲ କରାଯାଇଥିଲା ପରୀକ୍ଷାର୍ଥୀଙ୍କ ଖାତା ପ୍ୟାକେଟ । ପରେ ବାରିପଦାସ୍ଥିତ ଏମପିସି କଲେଜରେ ହୋଇଥିବା ହବକୁ ଖାତା ଯାଇଥିଲା । ସେଠାରୁ ଖାତାଗୁଡ଼ିକ ସିଧାସଳଖ ଛତ୍ରପୁର ସରକାରୀ ବିଜ୍ଞାନ କଲେଜକୁ ପଠାଯାଇଥିଲା । ତେବେ ଚଳିତମାସ ୧୭ ତାରିଖରେ ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଶ୍ରୀମା କଲେଜକୁ ଏକ ଚିଠି ଆସିଛି, ଯେଉଁଥିରେ ୧୨ଟି ପରୀକ୍ଷା ଖାତା ଗାଏବ ହୋଇଥିବା ଉଲ୍ଲେଖ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଖାତାଗୁଡ଼ିକ ଭାଲ୍ୟୁଏସନ ସେଣ୍ଟରକୁ ପଠାଯାଇଥିଲା । ଏହା ପରେ ମଧ୍ୟ ଖାତା କିପରି ଗାଏବ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ପ୍ରଶ୍ନ ଉଠୁଛି, ଯୁକ୍ତଦୁଇ ଖାତା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା ହୋଇନାହିଁ କିମ୍ବା ଜୋନାଲ ସୁପରଭାଇଜର ନିଯୁକ୍ତ ହୋଇନାହାନ୍ତି । ତେବେ ପରୀକ୍ଷା ଖାତା ପ୍ୟାକେଟ ଖୋଲିଲା କିଏ ? ଛତ୍ରପୁର ସରକାରୀ ବିଜ୍ଞାନ କଲେଜ କର୍ତ୍ତୃପକ୍ଷ ଖାତା ଗାଏବ ହୋଇଛି ବୋଲି ଜାଣିଲେ କେମିତି ? ଅନ୍ୟ କୌଣସି ଉଦ୍ଦେଶ୍ୟରେ ପରୀକ୍ଷା ଖାତାଗୁଡ଼ିକ ଖୋଲା ଯାଇଥିଲା କି? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ତେବେ ଏ ନେଇ ଏମପିସି ଜୁନିୟର କଲେଜର ହବ୍ ହେଡ୍ ଶୁଭଙ୍କର ସାହୁ କହିଛନ୍ତି ଯେ ପରୀକ୍ଷା ଖାତାଗୁଡ଼ିକ ପ୍ୟାକେଟରେ ସିଲ ହୋଇ ଆମ ପାଖକୁ ଆସିଥିଲା । ଆମେ ସେଗୁଡ଼ିକୁ ପୋଷ୍ଟାଲ ମାଧ୍ୟମରେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଇ ଦେଇଥିଲୁ । ତେଣୁ ପ୍ୟାକେଟରେ ଖାତା ନଥିବା ସଂପର୍କରେ ଆମେ କିଛି ଜାଣିନାହୁଁ । ଯଦି ଖାତା ଭୁଲରେ ଅନ୍ୟ କେଉଁଠାକୁ ଚାଲି ଯାଇଥିବ ତାହାହେଲେ ପରେ ନିଶ୍ଚିତ ମିଳିବ ବୋଲି ସେ କହି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.