fbpx

ଶିକ୍ଷକ ପଦବୀରେ ଆସୁଛି ବଡ ନିଯୁକ୍ତି ସୁଯୋଗ: ରାଜ୍ୟରେ ବଢିବ +୨ କଲେଜ ସଂଖ୍ୟା

Advertisement

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ବୃଦ୍ଧି ପାଇବ +୨ କଲେଜ ସଂଖ୍ୟା । ଏଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଯୋଗାଇ ଦେବା ପାଇଁ ଚଳିତ ଶିକ୍ଷାବର୍ଷରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ତେବେ ୧୦୦ଟି ବିିଦ୍ୟାଳୟରେ କଳା ସହ ଜଡିତ ଶିକ୍ଷାଦାନ କରାଯିବ ଏବଂ ଅନ୍ୟ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକ୍ସନରେ ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ । ଏହି କଲେଜ ସଂଖ୍ୟା ବୃଦ୍ଧି ପାଇବା ସହିତ ଏକ ବଡ ନିଯୁକ୍ତି ପାଇଁ ମଧ୍ୟ ସୁଯୋଗ ଆସିବ ।

ରାଜ୍ୟର ଏହି ୧୦୬ଟି ସରକାରୀ ବିଦ୍ୟାଳୟରେ ମୋଟ ୧୩,୪୬୮ ସିଟ ବୃଦ୍ଧି ହେବାକୁ ଯାଉଛି । ଏହା ସହିତ ଧନ୍ଦାମୂଳକ ଶିକ୍ଷାରେ ବ୍ୟାପକତା ବୃଦ୍ଧି କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ରାଜ୍ୟ ସରକାର ଏଥିପାଇଁ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି । ଏହି ବିଦ୍ୟାଳୟଗୁଡିକରେ ୩୩୫ ଅଧ୍ୟାପକ-ଅଧ୍ୟାପିକାଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓପିଏସସି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୩୬୪ ଅଧ୍ୟାପକଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ । ଏହାସହିତ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୫୫୫ ଶିକ୍ଷକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ।

ସେହିପରି ନିଯୁକ୍ତିପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ କର୍ମଶାଳା ପ୍ରସ୍ତୁତ କରିବା ସହ ଧନ୍ଦାମୂଳକ ବିଦ୍ୟାଳୟର ଅଧ୍ୟକ୍ଷ-ଅଧ୍ୟାପକଙ୍କୁ ତାଲିମ ପ୍ରଦାନ କରାଯିବ । ଗୋଟିଏ ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କୁ ଅଧିକ ତାଲିମ ଦେବା ପାଇଁ ମଧ୍ୟପ୍ରଦେଶ ଭୋପାଲର ପଣ୍ଡିତ ସୁନ୍ଦରଲାଲଶର୍ମା ଧନ୍ଦମୂଳକ ତାଲିମ ପ୍ରତିଷ୍ଠାନ ସହ ରାଜିନାମା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

Get real time updates directly on you device, subscribe now.