fbpx

୨୦୧୯ର ଚମ୍ପିଆନ, ଏଥର ଦଳରେ ମିଳୁନି ସୁଯୋଗ: ସାଥୀ ଖେଳାଳିଙ୍କୁ ପାଣି ଯୋଗାଉଛନ୍ତି ବେନ୍ ଷ୍ଟୋକ୍ସ

ନୂଆଦିଲ୍ଲୀ: ବିଶ୍ଵକପ ୨୦୨୩ ମହାସମର । ଏବେ ରୋମାଞ୍ଚକର ମୋଡ଼ ନେଇସାରିଛି । ଚାମ୍ପିୟନ ହେବାକୁ ସବୁ ଦଳ ନିଜର ସାମର୍ଥ୍ୟ ଲଗାଇ ଦେଇଛନ୍ତି । ତେବେ ଚଳିତବର୍ଷ ସର୍ବାଧିକ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆ ଏବଂ ଗତଥରର ଚମ୍ପିଆନ୍ ଇଂଲଣ୍ଡ ବିଫଳ ହେଉଛନ୍ତି । ଗତକାଲି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଆଫଗାନିସ୍ତାନ ଠାରୁ ପରାସ୍ତ ହୋଇଛି । ଏହି ପରାଜୟ ପରେ ଇଂଲଣ୍ଡର ଖେଳାଳି ଚୟନ ନେଇ କ୍ରିକେଟ ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି । ଦଳର ଶ୍ରେଷ୍ଠ ୧୧ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁନଥିବା ପ୍ରଶଂସକମାନେ ଆଲୋଚନା କରୁଛନ୍ତି । ଫ୍ୟାନ୍ସମାନଙ୍କ ଏହି ଇସାରା ଦଳର ଷ୍ୟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଆଡ଼କୁ ଦର୍ଶାଇଛି ।

୨୦୧୯ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଇଂଲଣ୍ଡ ବିଶ୍ଵ ବିଜୟୀ ହୋଇଥିଲା । ତେବେ ଇଂଲଣ୍ଡର ଏହି ଚମ୍ପିଆନ ହେବାର କାହାଣୀରେ ପ୍ରକୃତ ହିରୋ ଥିଲେ ବେନ୍ ଷ୍ଟୋକ୍ସ । ସେ ଅପରାଜିତ ୮୪ ରନ କରିବା ସହ ଦଳକୁ ପ୍ରଥମ ଥର ବିଶ୍ୱ ବିଜୟୀ କରାଇଥିଲେ । ଯେଉଁଥିପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚନା ମଧ୍ୟ କରାଯାଇଥିଲା । କିନ୍ତୁ ୨୦୧୯ ଫାଇନାଲର ଚମ୍ପିଆନ କ୍ରିକେଟର ଆଜି ଦଳରେ ସୁଯୋଗ ପାଉନାହାନ୍ତି । ୨୦୨୩ ବିଶ୍ୱକପ ପାଇଁ ଅବସରରୁ କମବ୍ୟାକ କରିଥିଲେ ବେନ୍ ଷ୍ଟୋକ୍ସ । ଏହା ପରେ ଇଂଲଣ୍ଡର ବିଶ୍ଵକପ ଦଳରେ ବେନ୍ ଷ୍ଟୋକ୍ସଙ୍କୁ ସ୍ଥାନ ମିଳିଥିଲା । ତେବେ ଚଳିତ ବର୍ଷ ବିଶ୍ଵକପରେ ଏବେ ସୁଧା ଇଂଲଣ୍ଡ ୩ଟି ମ୍ୟାଚ୍ ଖେଳି ସାରିଥିବା ବେଳେ କୌଣସି ମ୍ୟାଚରେ ଷ୍ଟୋକ୍ସ ଦଳରେ ସୁଯୋଗ ପାଇନାହାନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଇଂଲଣ୍ଡ ଫ୍ୟାନ୍ସ । ବର୍ତ୍ତମାନ ସମୟରେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ ବେନ୍ ଷ୍ଟୋକ୍ସଙ୍କୁ ଲଗାତାର ଦଳରୁ ବାହାରେ ରଖିବା ଯୋଗୁଁ ଇଂଲଣ୍ଡ ପରାଜୟର ସାମ୍ନା କରୁଛି ବୋଲି କହିଛନ୍ତି ପ୍ରଶଂସକ । ଏହାସହିତ ବେନ୍ ଷ୍ଟୋକ୍ସଙ୍କୁ ପରବର୍ତ୍ତୀ ମ୍ୟାଚରେ ଦଳରେ ସୁଯୋଗ ଦେବା ପାଇଁ ମଧ୍ୟ ଦାବି ହୋଇଛି ।

ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଦଳ ୯ ଓ୍ଵିକେଟରେ ପରାସ୍ତ ହୋଇଥିଲା । ଏହାପରେ ବାଂଲାଦେଶ ବିପକ୍ଷରେ ୧୩୭ ରନର ବିଶାଳ ବିଜୟ ହାସଲ କରିଥିଲା ଇଂଲଣ୍ଡ । ସେହିପରି ଗତକାଲି ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ନିଜର ତୃତୀୟ ମ୍ୟାଚରେ ମଧ୍ୟ ଶୋଚନୀୟ ଭାବରେ ପରାସ୍ତ ହୋଇଛି । ତେବେ ତିନୋଟି ଯାକ ମ୍ୟାଚରେ ଦଳରୁ ବାହାରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ପ୍ରଥମ ମ୍ୟାଚରେ ଆହତ ଯୋଗୁଁ ଷ୍ଟୋକ୍ସ ଦଳରୁ ବାଦ୍ ପଡ଼ିଥିବା ବେଳେ ଅନ୍ୟ କୌଣସି ମ୍ୟାଚକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ଅଧିନାୟକ ଜୋସ୍ ବଟଲର । ହେଲେ ଏବେ କ୍ରିକେଟ ବିଷେଷଜ୍ଞ ମାନେ ଆଲୋଚନା କରୁଛନ୍ତି, ବେନ୍ ଷ୍ଟୋକ୍ସଙ୍କୁ ଦଳରେ ସ୍ଥାନ ନ ମିଳିବା ଆଫଗାନିସ୍ତାନ ବିପକ୍ଷ ପରାଜୟର ମୁଖ୍ୟ କାରଣ ।

Get real time updates directly on you device, subscribe now.