fbpx

ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣାରେ ୨୨ ଆହତ: ଖୋର୍ଦ୍ଧା ଏସପି

ବାଲୁଗାଁ(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ଆରମ୍ଭ ହୋଇଛି ଉତ୍ତେଜନା । ବାଣପୁର ବ୍ଲକ ନିକଟରେ ଆଜି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି । ସେ କହିଛନ୍ତି ଯେ, ‘ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗାଡ଼ି ଧକ୍କାରେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ଆହତ ହୋଇଛନ୍ତି । ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱର ପଠାଯାଇଛି । ତଦନ୍ତ ଆରମ୍ଭ ହୋଇଛି, ଯାହାର ଦୋଷ ଥିବ କାର୍ଯ୍ୟାନୁଷ୍ଠାନ ହେବ ।’ ତେବେ କେହି ମୃତ୍ୟୁବରଣ କରିଥିବାର ଖବର ନାହିଁ ବୋଲି ଏସପି କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ୨୭ ଜଣ ଆହତ ହୋଇଛନ୍ତି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବିଧାୟକଙ୍କ ଗାଡ଼ି ମଡ଼ାଇଦେବାରୁ ୨୭ ଜଣ ଆହତ ହୋଇଛନ୍ତି । ଭିଡ଼ ମଧ୍ୟରେ ଗାଡ଼ି ମଡ଼ାଇ ଦେଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୯ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ୧୫ ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି ।ଏହି ଘଟଣାରେ ୨ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।’

Get real time updates directly on you device, subscribe now.