fbpx

ଆଜିଠୁ ପିଙ୍କ ବଲ୍ ଟେଷ୍ଟ, କ୍ଲିନ୍ ସୁଇପ୍ ଉପରେ ଭାରତର ନଜର, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ବେଙ୍ଗାଲୁରୁ: ଆଜିଠୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ପିଙ୍କ ବଲ୍ ଟେଷ୍ଟ ଆରମ୍ଭ ହେବ। ଭାରତୀୟ ଦଳ କ୍ଲିନ ସୁଇପ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ଇନିଂସ ଏବଂ ୨୨୨ ରନରେ ହରାଇଥିଲା। ଭାରତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ନିଜ କାର୍ଯ୍ୟକାଳର ଆରମ୍ଭ ସିରିଜ୍ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ।

ଭାରତୀୟ ଦଳ ପିଙ୍କ୍ ବଲ ଟେଷ୍ଟ ପୂର୍ବରୁ ଦଳରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଥିଲା। ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କୁ ବାୟୋ ବବଲରୁ ବ୍ରେକ ଦେଇ ଆହତ ସମସ୍ୟାରୁ ମୁକୁଳିଥିବା ଅକ୍ଷର ପଟେଲଙ୍କୁ ଦଳରେ ସାମିଲ୍ କରିଥିଲା। ପଟେଲ ୨୦୨୧ରେ ନିଜର ଟେଷ୍ଟ ପଦାର୍ପଣ କରିଥିଲେ। ଏହା ପଠରୁ ସେ ଟେଷ୍ଟରେ ଯେତିକି ସୁଯୋଗ ପାଇଛନ୍ତି ନିୟମିତ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ ଆହତଜନିତ ସମସ୍ୟା କାରଣରୁ ତାଙ୍କୁ ଦୀର୍ଘ ସମୟ ଦଳରୁ ବାହାରେ ବସିବାକୁ ପଡିଥିଲା।

ଅକ୍ଷର ପଟେଲଙ୍କୁ ଜୟନ୍ତ ଯାଦବଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ଅକ୍ଷରଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ୍ ହେବା ନେଇ ପ୍ରବଳ ଦାବିଦାର। କାରଣ ପିଙ୍କ ବଲ୍ ଦ୍ରୁତ ବୋଲରଙ୍କ ପାଇଁ ବେଶ ସହାୟକ ହୋଇଥାଏ। ପୁଣି ବେଙ୍ଗାଲୁରୁର ପରିବେଶ ନୂତନ ବଲ୍ ସହିତ ଦ୍ରୁତ ବୋଲରଙ୍କୁ ବେଶ ସୁହାଇ ଥାଏ। ଏହି କାରଣରୁ ଭାରତୀୟ ଦଳ ଜୟନ୍ତ ଯାଦବଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସୁଯୋଗ ଦେଇ ପାରନ୍ତି।

ଅନ୍ୟପଟେ ଅକ୍ଷର ପଟେଲ୍ ଭାରତ ପାଇଁ ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପିଙ୍କ୍ ବଲ୍ ଟେଷ୍ଟରେ ୧୧ ଓ୍ଵିକେଟ୍ ହାସଲ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ତେଣୁ ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବାର ସମ୍ଭାବନା ରହିଛି।

ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ କିପର). ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ/ମହମ୍ମଦ ସିରାଜ, ମହମ୍ମଦ ଶାମି, ଯଶପ୍ରୀତ ବୁମରା।

 

Get real time updates directly on you device, subscribe now.