fbpx

୩୭ ନମ୍ବର ୱାର୍ଡର ବିକାଶ, ମୌଳିକ ସମସ୍ୟାର ସମାଧାନ ଆମର ମୂଳ ଲକ୍ଷ୍ୟ: ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ତେବେ ଏହି ପ୍ରଚାର ପ୍ରକ୍ରିୟାରେ ରାଜ୍ୟର ତିନୋଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ସାମିଲ ହୋଇଥିବା ବେଳେ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି ସ୍ୱାଧୀନ ପ୍ରାର୍ଥୀମାନେ । ଚଳିତ ନିର୍ବାଚନରେ ଅନେକ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢ଼ି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ୱରର ୩୭ ନମ୍ବର ୱାର୍ଡର ପ୍ରାର୍ଥୀ ହୋଇଛନ୍ତି ବନ୍ଦିତା ପାଲ । ବନ୍ଦିତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ସ୍ୱାମୀ ଅର୍ଜୁନ ବେହେରାଙ୍କ ସହ ମିଶି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ବନ୍ଦିତାଙ୍କ ମତରେ, ଆମେ କୌଣସି ରାଜନୈତିକ ଦଳ ସହ ପ୍ରତିଯୋଗିତା କରୁନାହୁଁ । ନିର୍ବାଚନ ରଣାଙ୍ଗନରେ ଆମେ ଆମର ଲଢ଼େଇ ଜାରି ରଖିଛୁ । ବିଜୟ କି ପରାୟଜ କ’ଣ ହେବ, ସେନେଇ ଆମେ ଚିନ୍ତିତ ନୋହୁଁ । ୩୭ ନମ୍ବର ୱାର୍ଡର ବାସିନ୍ଦାଙ୍କର ସାମୂହିକା ବିକାଶ, ଜନସାଧାରଣଙ୍କର ମୌଳିକ ସମସ୍ୟାର ସମାଧାନ, ଭାଇଚାରା ସମ୍ପର୍କକୁ ଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ ।

ଏ ବାବଦରେ ବନ୍ଦିତାଙ୍କ ସ୍ୱାମୀ ଅର୍ଜୁନ କହିଛନ୍ତି ଯେ, ଏହି ୱାର୍ଡର ଆମେ ସ୍ଥାୟୀ ବାସିନ୍ଦା । ଆମେ ଅନ୍ୟ କୌଣସି ରାଜନୈତିକ ଦଳ ସହ ଲଢ଼େଇ କରୁନାହୁଁ । ଜନସାଧାରଣଙ୍କର ବିକାଶ ପାଇଁ ଆମେ ଲଢ଼େଇ କରି ଆସୁଛୁ । ଏହି ୱାର୍ଡଟି ରାଜଧାନୀର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏଠାରେ ଜନସାଧାରଣଙ୍କର ଅନେକ ସମସ୍ୟା ରହିଛି । ତେଣୁ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଆମେ ୱାର୍ଡବାସୀଙ୍କ ବିକାଶ ଲକ୍ଷ୍ୟ ନେଇ ସମସ୍ତଙ୍କଠାରୁ ଆଶିର୍ବାଦ ଭିକ୍ଷା କରୁଛୁ । ଚଳିତ ନିର୍ବାଚନରେ ଆମକୁ ସମସ୍ତେ ସହଯୋଗ କରିବେ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି ।

Get real time updates directly on you device, subscribe now.