fbpx

ଏସିଆନ୍ ଗେମ୍ସ ପାଇଁ ୨୨ ଜଣିଆ ଭାରତୀୟ ଫୁଟବଲ ଦଳ ଘୋଷିତ: ଛେତ୍ରୀ, ଝିଙ୍ଗନ ଓ ଗୁରପ୍ରୀତଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଚୀନର ହାଙ୍ଗଝୋୟୁରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ମଙ୍ଗଳବାର ୨୨ ଜଣିଆ ଭାରତୀୟ ଫୁଟବଲ ଦଳ ନାମ ତାଲିକା ଘୋଷଣା କରା ଯାଇଛି। ଏସିଆନ୍ ଗେମ୍ସ ନିୟମ ଦୃଷ୍ଟିରୁ ୨୩ ବର୍ଷରୁ କମ ଖେଳାଳିଙ୍କ
ସହିତ ତିନି ଜଣ ଅଧିକ ବୟସର ଖେଳାଳିଙ୍କୁ ସୁଯୋଗ ମିଳିବ। ତେଣୁ ଭାରତୀୟ ଦଳରେ ସିନିୟର ଖେଳାଳି ଭାବେ ଅଧିନାୟକ ସୁନିଲ ଛେତ୍ରୀ, ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଓ ଗୋଲ କିପର ଗୁରପ୍ରୀତ ସିଂ ସାନ୍ଧୁ ସାମିଲ ହୋଇଛନ୍ତି। ଭାରତୀୟ ଦଳର ମୁଖ୍ୟ କୋଚ ଇଗୋର ଷ୍ଟିମାକ ଏସିଆନ୍ ଗେମ୍ସରେ ସମସ୍ତ ଦାୟିତ୍ୱ ବହନ କରିବେ ବୋଲି ଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ସୂଚନା ଦିଆ ଯାଇଛି।

ଏସିଆନ୍ ଗେମ୍ସରେ ଭାରତ ଗ୍ରୁପ ଏ’ରେ ଚୀନ,ବାଂଲାଦେଶ ଓ ମିଆଁମାର ସହିତ ସ୍ଥାନ ପାଇଛି। ଏଥିରେ ୨୩ ଦଳ ଅଂଶ ଗ୍ରହଣ କରିବେ। ଏମାନଙ୍କୁ ୬ ଗ୍ରୁପରେ ବିଭକ୍ତ କରା ଯାଇଛି। ଗ୍ରୁପ ଏ.ବି,ସି,ଇ, ଓ ଏଫରେ ୪ ଲେଖାଏଁ ଦଳ ଓ ଗ୍ରୁପ ଡି’ରେ ଅଛନ୍ତି ୩ ଦଳ। ଦୁଇଥର ଏସିଆନ ଗେମ୍ସ ଚାମ୍ପିଅନ ଭାରତ ୯ ବର୍ଷ ପରେ ପ୍ରଥମ ଥର ପାଇଁ ଫୁଟବଲ ଇଭେଣ୍ଟରେ ଭାଗ ନେଉଅଛି। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ୨୦୧୮ ଏସିଆନ୍ ଗେମ୍ସରେ ଭାରତୀୟ ଫୁଟବଲ ଟିମ ଅଂଶ ଗ୍ରହଣ ସୁଯୋଗ ପାଇ ନ ଥିଲେ । ମାତ୍ର ଚଳିତ ବର୍ଷର ଏସିଆନ୍ ଗେମ୍ସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଟିମ ଭାଗ ନେବା ସୁଯୋଗ ପାଇଛନ୍ତି।

ଭାରତୀୟ ଦଳ- ଗୋଲ କିପର:ଗୁରପ୍ରୀତ ସିଂ ସାନ୍ଧୁ, ଗୁରମିତ ସିଂ, ଧୀରଜ ସିଂ ମୋଇରାଙ୍ଗଥେମ ଡିଫେଣ୍ଡର- ସନ୍ଦେଶ ଝିଙ୍ଗନ, ଅନୱାର ଅଲି, ନରେନ୍ଦ୍ର ଗେହଲଟ, ଲାଲଚୁଙ୍ଗନୁଙ୍ଗ, ଆକାଶ ମିଶ୍ର, ରୋଶନ ସିଂ, ଆଶିଷ ରାଇ। ମିଡଫିଲଡର- ଜିକସନ ସିଂ ଥାଉନାଓଜାମ, ସୁରେଶ ସିଂ ୱାଙ୍ଗଜାମ, ଆପୁଇଆ ରାଲତେ, ଅମରଜିତ ସିଂ କିୟାମ, ରାହୁଲ କେପି ,ନାଓରେମ ମହେଶ ସିଂ। ଫରୱାର୍ଡ- ଶିବ ଶକ୍ତି ନାରାୟଣନ, ରହିମ ଅଲି, ସୁନିଲ ଛେତ୍ରୀ, ଅନିକେତ ଯାଦବ, ବିକ୍ରମ ପ୍ରତାପ ସିଂ, ରୋହିତ ଦାନୁ।

Get real time updates directly on you device, subscribe now.