fbpx

୨୪.୦୯.୨୦୦୭… ସାରା ବିଶ୍ୱ ଦେଖିଥିଲା ମାହିଙ୍କ Master Mind: ଶେଷ ଓଭରରେ ଟ୍ରଫି ହାତେଇଲା Team India

ଓଡ଼ିଶା ଭାସ୍କର: ଆଜି ସେପ୍ଟେମ୍ବର ୨୪ ତାରିଖ, କିନ୍ତୁ ଇଣ୍ଡିଆନ୍ କ୍ରିକେଟ ପାଇଁ ଏହା ଇତିହାସର ଏକ ପୃଷ୍ଠା । କାରଣର ଆଜିକୁ ଠିକ୍ ୧୭ ବର୍ଷ ତଳେ ବିଶ୍ୱର ପ୍ରଥମ ଟି-୨୦ ଚମ୍ପିଆନ୍ ସାଜିଥିଲା ଟିମ ଇଣ୍ଡିଆ । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପଛରେ ପକାଇ ଟି-୨୦ ଟ୍ରଫି ଉଠାଇଥିଲା ଧୋନୀ ବାହିନୀ । ଯେଉଁ ମ୍ୟାଚରେ ପ୍ରଥମରୁ ଶେଷ ବଲ୍ ପର୍ଯ୍ୟନ୍ତ ଭରି ରହିଥିଲା ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । ଯେଉଁ ଫାଇନାଲରେ ପ୍ରଥମ ଥର ଅଧିନାୟକ ଦାୟିତ୍ୱ ନେଇଥିବା ରାଞ୍ଚି ବୟ ମହେନ୍ଦ୍ର ସିଂହ ଧୋନୀ ପାଲଟି ଯାଇଥିଲେ କ୍ୟାପଟେନ୍ କୁଲ୍ । ଏହି ଫାଇନାଲରେ କେବଳ ଭାରତ ନୁହେଁ, ସାରା ବିଶ୍ୱ ଦେଖିଥିଲା ମାହିଙ୍କ ମାଷ୍ଟର ମାଇଣ୍ଡ ଗେମ୍ । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ବି ନିଜ କୁଲ୍ ଅନ୍ଦାଜରେ ଭାରତକୁ ବିଶ୍ୱବିଜୟୀ କରାଇଥିଲା କ୍ୟାପଟେନ୍ କୁଲଙ୍କ ଅଜବ ନିଷ୍ପତ୍ତି । ଯାହାର ମୁକ ସାକ୍ଷୀ ରହିଛି ଜୋହାନ୍ସବର୍ଗ କ୍ରିକେଟ ଷ୍ଟାଡିୟମ୍ ।

ICC T20 World Cup 2007: MS Dhoni-led India win inaugural title - India Today

କ୍ରିକେଟ ଇତିହାସର ପ୍ରଥମ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । ଭାରତ ପାଇଁ ସଚିନ୍, ଦ୍ରାବିଡ ଏବଂ ଗାଙ୍ଗୁଲିଙ୍କ ଭଳି ବଡ଼ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀଙ୍କ ମିଳିଥିଲା ଅଧିନାୟକ ପଦ । ସାରା ଟୁର୍ଣ୍ଣାମେଣ୍ଟରେ ଚତୁରତା ଦେଖାଇ ସେ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ । ଏହି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଧୋନୀ ବାହିନୀ ଗୌତମ ଗମ୍ଭୀରଙ୍କ ୭୫ ରନ୍ ଇନିଂସ ବଳରେ ୫ ୱିକେଟରେ ୧୫୭ ରନ୍ କରିଥିଲା । ନୂଆ ଫର୍ମାଟ ଏବଂ ଫାଇନାଲ ଭଳି ମ୍ୟାଚରେ ପାକିସ୍ତାନ ପାଇଁ ଏହା କଷ୍ଟକର ଥିଲେ ମଧ୍ୟ ଅସମ୍ଭବ ନଥିଲା । ପାକିସ୍ତାନ ତରଫରୁ ୧୫୮ ରନ୍ ଟାର୍ଗେଟ ସହ ମଇଦାନକୁ ଆସିଥିଲେ ମହମ୍ମଦ ହାଫିଜ ଏବଂ ଇମ୍ରାନ ନାଜିର । ଏହିଠାରୁ ଆରମ୍ଭ ହୋଇଥିଲା ଟ୍ୱିଷ୍ଟ ।

Gautam Gambhir relives India's 2007 Twenty20 World Cup triumph – India TV

ପ୍ରଥମ ଓଭରରୁ ହିଁ ଲଗାତାର ୱିକେଟ ହରାଇଥିଲା ପାକିସ୍ତାନ । ଟିମ ଇଣ୍ଡିଆର ପେସ୍ ଆଟାକ ଆଗରେ ବିଭତ୍ସ ହୋଇ ଫେଲ ମାରିଥିଲା ପାକ୍ ବ୍ୟାଟିଂ ଅର୍ଡର । ମାତ୍ର ୧୦୪ ରନ୍ ଭିତରେ ପାକିସ୍ତାନ ୭ଟି ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା । ଭାରତ ପାକିସ୍ତାନ ଉପରେ ଦବଦବା ଜାରି ରଖିଥିଲା, କିନ୍ତୁ ମ୍ୟାଚରେ ଆଉ ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲେ ଷ୍ଟାର ବ୍ୟାଟର ମିସବାହ ଉଲ୍ ହକ୍ । ଟିମ ଇଣ୍ଡିଆର ପେସ୍ ଆଟାକ ସହ ସ୍ପିନ ବୋଲରଙ୍କୁ ଅତି ଚତୁରତାର ସହ ଖେଳି ବିଜୟ ଲକ୍ଷ୍ୟ ଅଭିମୁଖେ ବାହାରିଥିଲେ । ପାକିସ୍ତାନ ୭ଟି ୱିକେଟ ହରାଇ ପରଜୟର ନିକଟତର ହୋଇଥିବା ବେଳେ ବର୍ତ୍ତମାନ ଭାରତକୁ ଘାରିଥିଲା ଟ୍ରଫି ହାତଛଡ଼ା କରିବାର ଭୟ । କିନ୍ତୁ ବିଧାତାକୁ ଏହା ମଞ୍ଜୁର ନଥିଲା । ଆଉ ଦଳର ବୋଲରଙ୍କ ଉପରେ ଖୁବ ଭରଷା ରଖିଥିଲେ କ୍ୟାପଟେନ୍ କୁଲ ମାହି ।

ମ୍ୟାଚ୍ ଶେଷ ଓଭରରେ ପହଞ୍ଚିଥିଲା, ପାକିସ୍ତାନକୁ ବିଜୟ ପାଇଁ ୧୩ ରନ୍ ଆବଶ୍ୟକ ଥିବା ବେଳେ ଭାରତ ବିଜୟରୁ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଥିଲା । କିନ୍ତୁ ଶେଷ ଓଭର ବୋଲିଂ କରିବ କିଏ? ଧୋନୀଙ୍କ ପାଖରେ ଷ୍ଟାର ସ୍ପିନର ହରଭଜନ ସିଂହ, ୟୁସୁଫ ପଠାନ୍ ଏବଂ ଯୁବ ବୋଲର ଯୋଗିନ୍ଦର ଶର୍ମା ୩ଟି ବିକଳ୍ପ ଥିଲା । ସମସ୍ତଙ୍କ ଆଶା ଥିଲା ଶେଷ ଓଭର ପାଇଁ ହରଭଜନ ମଇଦାନକୁ ଆସିବେ । କିନ୍ତୁ ଧୋନୀ ଖେଳିଥିଲେ ନୂଆ ଚାଲ୍, ବୋଲିଂ ପାଇଁ ଶେଷ ଓଭରରେ ଯୋଗିନ୍ଦର ଶର୍ମାଙ୍କୁ ଦାୟିତ୍ୱ ଦେଲେ ମାହି । ଏହି ନିଷ୍ପତ୍ତିକୁ କ୍ରୀଡ଼ା ସମୀକ୍ଷକ କିମ୍ବା ଦର୍ଶକ ସହଜରେ ଗ୍ରହଣ କରିପାରି ନଥିଲେ ଏବଂ ଖୁବ ଆଲୋଚନା କରିଥିଲେ । କିନ୍ତୁ ଟ୍ୱିଷ୍ଟରେ ଭରା ଏହି ଓଭର ଭାରତକୁ ବିଶ୍ବବିଜୟୀ ଟ୍ୟାଗ୍ ଦେଇଥିଲା । ଏବଂ ଧୋନୀଙ୍କୁ ମିଳିଥିଲା ନୂଆ ନାଁ, କ୍ୟାପଟେନ୍ କୁଲ୍ ।

ଓଭରର ପ୍ରଥମ ବଲ ୱାଇଡ ପକାଇଥିଲେ ଯୋଗିନ୍ଦର । ଏହାପରେ ପରବର୍ତ୍ତୀ ବଲରେ କୌଣସି ରନ୍ ହୋଇ ନଥିଲା । ବର୍ତ୍ତମାନ ୫ଟି ବଲରେ ପାକିସ୍ତାନକୁ ୧୨ ରନ୍ ଦରକାର ଥିବା ବେଳେ ପରବର୍ତ୍ତୀ ବଲକୁ ମିସବାହ ଏକ ବିଶାଳ ଛକା ମାରି ପାକିସ୍ତାନକୁ ବିଜୟର ଦ୍ୱାରଦେଶରେ ଠିଆ କରି ଦେଇଥିଲେ । ଭାରତୀୟଙ୍କ ଆଶା ସତେ ଯେମିତି ମଉଳି ଯାଇଥିଲା । ଏବେ ପାକିସ୍ତାନ ବିଜୟର ଖୁବ ପାଖରେ ରହିଥିଲା ଏବଂ ଭାରତ ଶେଷ ୱିକେଟ ପାଇଁ ଚାହିଁଥିଲା । ୪ ବଲରେ ୬ ରନ୍ ଆବଶ୍ୟକ ଥିବା ବେଳେ ମିସବାହ ୪୩ ରନ୍ କରି ଅପରାଜିତ ରହିଥିଲେ । ମ୍ୟାଚର ତୃତୀୟ ବଲରେ ମିସବାହ ସ୍କୁପ୍ କେଳି ଛକା ମାରିବା ପାଇଁ ଚେଷ୍ଟା କରିଥିଲେ, କିଛି ସମୟ ପାଇଁ ଟ୍ରଫି ହାତରୁ ଖସି ଯାଉଥିବା ଭାବି ନେଇଥିଲେ ଭାରତୀୟ ଦର୍ଶକ ।

କିନ୍ତୁ ଶ୍ରୀସନ୍ଥ ଏହି କ୍ୟାଚ୍ ଧରିବା ସହ ଭାରତ ପାଇଁ ଟି-୨୦ ଟ୍ରଫି ଭାରତ ହାତରେ ଧରାଇ ଦେଇଥିଲେ । ଏଭଳି ଶଟ୍ ଖେଳିବା ମିସବାହଙ୍କ କ୍ୟାରିୟରର ସବୁଠୁ ବଡ଼ ଭୁଲ ବୋଲି କୁହାଯାଉଛି । ମିସବାହଙ୍କ ଏହି ଛୋଟିଆ ଭୁଲ ପାଇଁ ପାକିସ୍ତାନ ପ୍ରଥମ ବିଶ୍ୱ ବିଜୟୀ ହେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା । ଏପଟେ ସାରା ଭାରତ ଇତିହାସ ସୃଷ୍ଟି କରିବା ସହ ପ୍ରଥମ ଟି-୨୦ ଚମ୍ପିଆନ୍ ହେବାର ସେଲିବ୍ରେସନ୍ କରିଥିଲା । ସେଦିନ ପ୍ରତି ବଲରେ ମ୍ୟାଚର ପରିଣାମ ବଦଳି ଯାଉଥିବାର ଦେଖିଥିଲା କ୍ରିକେଟ ଦୁନିଆ । ସେଦିନ ବିଶ୍ୱାସରେ ବିଶ୍ୱକପ୍ ଜିତିବାର ଉଦାହରଣ ପାଇଥିଲା ବିଶ୍ୱ କ୍ରିକେଟ । ଅଧିନାୟକଙ୍କ ଭରଷାରେ ନୂଆ ବୋଲର ବି ମ୍ୟାଚ୍ ଜିତାଇପାରେ ବୋଲି ବୁଝାଇଥିଲା ଟିମ ଇଣ୍ଡିଆ । ଟିମ ଇଣ୍ଡିଆକୁ ମିଳିଥିଲେ କ୍ୟାପଟେନ୍ କୁଲ୍ ଏମ.ଏସ ଧୋନୀ । ୨୦୦୭ ମସିହା ଟି-୨୦ ବିଶ୍ୱ ଚମ୍ପିଆନ୍ ପାଲଟିଥିଲା ଭାରତୀୟ କ୍ରିକେଟ ଟିମ୍ ।

Get real time updates directly on you device, subscribe now.