fbpx

ଓଡ଼ିଶାର ୨୬ଟି ୱେବସାଇଟ୍ ପ୍ରତି ସାଇବର ବିପଦ: ସୁରକ୍ଷା ନେଇ ରିପୋର୍ଟ ମାଗିଲା NCIIPC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ସାଇବର ଠକଙ୍କ ଜାଲରେ ପଡ଼ି ଅନେକ ଶିକ୍ଷିତ ଲୋକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ତେବେ ସାଇବର କ୍ରାଇମରୁ ବାଦ୍ ପଡ଼ିନାହିଁ ଓଡ଼ିଶା । ରାଜ୍ୟର ୨୬ଟି ୱେବସାଇଟ ପ୍ରତି ସାଇବର ଆକ୍ରମଣର ବିପଦ ରହିଛି । ଏହି ସବୁ ୱେବସାଇଟ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ଜଣେ ଅଜଣା ବ୍ୟକ୍ତି ଚାହିଁଲେ ଏହିସବୁ ୱେବସାଇଟରୁ କିଛି ତଥ୍ୟ ଚୋରି କରିନେବା ସହ କିଛି ପରିବର୍ତ୍ତନ ମଧ୍ୟ କରିପାରେ ।

ଜାତୀୟ ବୈଷୟିକ ଗବେଷଣା ସଂସ୍ଥା (ଏନଟିଆରଓ) ଅଧିନରେ ଥିବା ଜାତୀୟ କ୍ରିଟିକାଲ ସୂଚନା ଭିତ୍ତିଭୂମି ସୁରକ୍ଷା କେନ୍ଦ୍ର (ଏନସିଆଇଆଇପିସି) ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏହି ସମସ୍ତ ୱେବସାଇଟର ସୁରକ୍ଷା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ତଥ୍ୟ ମଗାଯାଇଛି । ତେବେ ଏନସିଆଇଆଇପିସି ପକ୍ଷରୁ ଚିଠି ମିଳିବା ପରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ପକ୍ଷରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଜାରି କରାଯାଇଛି । ରାଜ୍ୟ ମେଧାବୃତ୍ତି ପୋର୍ଟାଲର ଯେଉଁ ସବୁ ସମ୍ବେଦନଶୀଳତା ରହିଛି ତାହାକୁ ସମାଧାନ କରିବାକୁ ଓକାକ ପକ୍ଷରୁ କୁହାଯାଇଛି ।

ଗତ ଫେବୃଆରୀ ମାସରେ ମଧ୍ୟ ଏନସିଆଇଆଇପିସି ପକ୍ଷରୁ ରାଜ୍ୟର ସମ୍ବେଦନଶୀଳ ୱେବସାଇଟକୁ ସମୀକ୍ଷା ନେଇ କୁହାଯାଇଥିଲା । ବ୍ରହ୍ମପୁର ନଗର ନିଗମ, ସଂସ୍କୃତି ବିଭାଗ, ରାଜ୍ୟ ମେଧାବୃତ୍ତି ପୋର୍ଟାଲ, ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ, ଭାରତୀୟ ଅର୍ଥ ବିଭାଗ, ସାମ୍ସ ପୋର୍ଟାଲ, ରାଜ୍ୟ ଭିନ୍ନକ୍ଷମ ଆୟୋଗ ଉପରେ ସାଇବର ଆକ୍ରମଣର ବିପଦ ରହିଛି । ଏହି ସବୁ ୱେବସାଇଟରେ ଓଟିପି ବାଇପାସ, କ୍ଲିକଜାକିଂ, ଡିରେକ୍ଟୋରି ଟ୍ରାଭେର୍ସାଲ, ଏସକ୍ୟୁଏଲ ଇଞ୍ଜେକସନ, ଇ-ମେଲ ସ୍ପୁଫିଂ, ଭର୍ସନ ଡିସକ୍ଲୋଜର ଭଳି ଅନେକ ସମ୍ବେଦନଶୀଳ ରହିଥିବା ଏନସିଆଇଆଇପିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.