fbpx

26/11 Attack; ରକ୍ତରେ ଭିଜି ଯାଇଥିଲା ମାୟା ନଗରୀ: ଭାରତ ଅତୀତର କଳା କାହାଣୀରେ ମୁମ୍ବାଇ ବ୍ଲାଷ୍ଟ, ପୂରିଲା ୧୫ ବର୍ଷ

ଓଡ଼ିଶା ଭାସ୍କର: ୧୫ ବର୍ଷ ତଳର କଥା… ସବୁଦିନ ପରି ସେଦିନ ମଧ୍ୟ ହସ ଖୁସିରେ ଆରମ୍ଭ ହୋଇଥିଲା । ସୂର୍ଯ୍ୟଙ୍କ କିରଣ ସହିତ ମୁମ୍ବାଇ ସହରରେ ବିଞ୍ଚି ହୋଇ ଯାଇଥିଲା ହସଖୁସିର ମାହୋଲ । କିନ୍ତୁ କିଏ ଜାଣିଥିଲା, କେତେ ଜଣଙ୍କ ମୁହଁରେ ଥିବା ଏ ହସ ମାତ୍ର ଅଳ୍ପ କେଇଟା ମୁହୂର୍ତ୍ତ ପାଇଁ । ସମସ୍ତଙ୍କ ଓଠରେ ଥିବା ହସର ଏ କ୍ଷୀଣ ଧାର ପରେ ଦଇବ କ’ଣ ଲେଖିଛି ସେମାନଙ୍କ ଭାଗ୍ୟରେ । ଏସବୁ ଖୁସି କେତେ ସମୟ ପାଇଁ ଆଉ ଏହାର ପରବର୍ତ୍ତୀ ଅଧ୍ୟାୟ କେତେ ଭୟଙ୍କର ହୋଇପାରେ । ଚାହୁଁ ଚାହୁଁ ସବୁ ବଦଳି ଗଲା । ନିମିଷକ ମଧ୍ୟରେ ଆତଙ୍କବାଦୀଙ୍କ ମାୟାଜାଲରେ ଛନ୍ଦି ହୋଇଗଲା ଭାରତର ମାୟାନଗରୀ ମୁମ୍ବାଇ ।

ସକାଳ ଯାଇ ରାତି ହେଲା, ଆଉ ଏ ରାତି କିନ୍ତୁ ସବୁ ଦିନ ଭଳି ରାତି ନଥିଲା । ମୁମ୍ବାଇ ପାଇଁ ଏ ଥିଲା କାଳରାତ୍ରୀ । ସୂର୍ଯ୍ୟାସ୍ତ ହେବା ମାତ୍ରେ ଭୟଙ୍କର ରୂପ ଧରି ଘୋଟି ଆସିଥିଲା ଅନ୍ଧକାରର କଳା ଛାୟା । ଆଉ ଏହି ଅନ୍ଧକାରରେ ବଳି ପଡ଼ି ଯାଇଥିଲା ଶହ ଶହ ମୂଲ୍ୟବାନ ଜୀବନ । ଜୀବନକୁ ସଉଦା କରିବା ପାଇଁ ମୃତ୍ୟୁର ସୌଦାଗର ହୋଇ ଆସିଥିଲେ ପାକିସ୍ତାନର ଆତଙ୍କବାଦୀ । ବାସ୍…, ଆଗକୁ ଯାହା ହେଲା ତାହା ଭାରତ ଇତିହାସ ପାଇଁ ଏକ ଭୟଙ୍କର ଆଉ ଅଭୁଲା ଅତୀତର କଳା କାହାଣୀ ହୋଇଯାଇଛି । ହସଖୁସିରେ ଝଲସି ଉଠିଥିବା ମୁମ୍ବାଇ ସହର ଆଖି ପିଛୁଳାକେ ରକ୍ତର ନଦୀରେ ଗାଧୋଇ ସାରିଥିଲା । ହସ ବଦଳରେ ଶୁଭୁଥିଲା ‘ରକ୍ଷା କର… ରକ୍ଷା କର..’ ଚିତ୍କାର ଆଉ ଖୁସି ଜାଗାରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା ଆତ୍ମୀୟସ୍ୱଜନଙ୍କ ମୃତ ଶରୀର ।

ସେଦିନ ବି ଥିଲା ନଭେମ୍ବର ୨୬ ତାରିଖ । କେଜାଣି ମୁମ୍ବାଇର ମାୟାନଗରୀରେ କାହାର ନଜର ଲାଗିଗଲା । ପାକିସ୍ତାନର କରାଚୀରୁ ଜଳପଥ ଦେଇ ଭାରତ ଭିତରକୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ଜଣ ଆତଙ୍କୀ । ଏମାନେ ହେଉଛନ୍ତି ସେହି ୧୦ ଆତଙ୍କବାଦୀ, ଯେଉଁମାନଙ୍କୁ ନିୟନ୍ତ୍ରଣ କରିବା ସାରା ଭାରତ ପାଇଁ ସେଦିନ କାଠିକର ପାଲଟି ଯାଇଥିଲା । ହାତରେ ବନ୍ଧୁକ, ପକେଟରେ ବମ୍ ଆଉ ଛାତିରେ ସାରା ସହରକୁ ଚିର ନିଦ୍ରାରେ ଶୁଆଇ ଦେବାର ଲକ୍ଷ୍ୟ ନେଇ ସେମାନେ ଆସିଥିଲେ । ମୁମ୍ବାଇରେ ସେମାନେ ପାଦ ରଖିବା ପରେ ସାରା ସହରରେ ମୃତ୍ୟୁର ତାଣ୍ଡବଲୀଳା ଆରମ୍ଭ ହୋଇଥିଲା । ୪ ଦିନ ପର୍ଯ୍ୟନ୍ତ ଗୁଳିବର୍ଷା କରିବା ସାଙ୍ଗକୁ ସ୍ଥାନେ ସ୍ଥାନେ ବୋମା ପକାଇ ମୁମ୍ବାଇର ମାଟିକୁ ରକ୍ତରେ ଭିଜାଇ ଦେଇଥିଲେ ।

ମୁମ୍ବାଇର ତାଜ୍ ହୋଟେଲ ସହିତ ଓବ୍ରୟ ଟାଇଡେଣ୍ଟ ଏବଂ ନରୀମନ୍ ହାଉସକୁ ଟାର୍ଗେଟ କରି ସେମାନେ ଆରମ୍ଭ କରିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ତାଜ୍ ହୋଟେଲ ଭିତରେ ଲଗାତାର ୪ଟା ବିସ୍ଫୋରଣ କରି ସବୁକିଛି ଓଲଟପାଲଟ କରି ଦେଲେ କସାବ ଆଉ ତା ସାଥୀ । କେଇଟା ସେକେଣ୍ଡ ଭିତରେ ହିଁ ଶହ ଶହ ଜୀବନ ମାଟି ଉପରେ ଛଟପଟ ହୋଇ ଆଖି ବୁଜି ଦେଇଥିଲେ । ୧୮ ଜଣ ସୁରକ୍ଷାକର୍ମୀଙ୍କ ସହ ୧୪୬ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଶେଷ ନିଦ୍ରାରେ ଶୁଆଇ ଦେଇଥିଲା କସାବ ଓ ସାଥୀମାନଙ୍କର ହୀନ ଷଡ଼ଯନ୍ତ୍ର । ଏହାବ୍ୟତୀତ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।

ତେବେ ଆକ୍ରମଣ ପରେ ଭାରତର ସୁରକ୍ଷା ସଂସ୍ଥା ବି ଚୁପ୍ ବସି ନଥିଲା । NSG ଏହି ଆକ୍ରମଣର ପାଲଟା ଜବାବ ଦେବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଥିଲା । ଖସିଯିବାକୁ ଚେଷ୍ଟା କରିବା ବେଳେ ଭାରତର ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ପାଲଟିଥିଲେ ଆତଙ୍କବାଦୀ । ୧୦ ଜଣଙ୍କ ଭିତରୁ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଅଜମଲ କସାବ ଖସିଯିବାରେ ଏକପ୍ରକାର ସଫଳ ହୋଇଥିଲା । କିନ୍ତୁ ପର ଦିନ ଜୁହୁ ଛକ ପାଖରେ ଦେଶର ବୀର ସହିଦ ତୁକାରାମ ଓମ୍ବଲେଙ୍କ ହାତରୁ ଖସି ପାରି ନ ଥିଲା । ୪୦ଟା ଗୁଳି ଛାତିରେ ବାଜିଥିଲା ସତ, ଦେହରୁ ରକ୍ତ ଆଉ ଆଖିରୁ ଧାର ଧାର ଲୁହ ଝରୁଥିଲା ସତ, କିନ୍ତୁ ଦେଶର ସବୁଠୁ ବଡ଼ ଶତ୍ରୁକୁ ଆଗକୁ ବଢିବାକୁ ଦେଇ ନଥିଲେ ତୁକାରାମ ।

ପୋଲିସର ହାତ କେତେ ଶକ୍ତ ଆଉ ଭାରତମାତାର ସନ୍ତାନ କେତେ ଯେ ବୀର, ସେଦିନ ସେ ପ୍ରମାଣ କରି ଦେଇଥିଲେ । କସାବକୁ କାବୁ କରିବା ମଧ୍ୟରେ ତୁକାରାମ ନିଜେ ଅଖି ବୁଜି ଦେଇଥିଲେ । ଦେଶର ଶତ୍ରୁକୁ ସୀମା ପାର କରିବା ପୂର୍ବରୁ ଜେଲର ହାଜତକୁ ରାସ୍ତା ଦେଖାଇତିଲେ ବୀର ସହିଦ ତୁକାରାମ । ଶେଷରେ ଆତଙ୍କୀ କସାବ ଧରା ପଡ଼ିବା ପରେ ୨୦୧୨ ମସିହାରେ ତାକୁ ଫାଶୀ ଦଣ୍ଡ ଦେଇଥିଲେ ଭାରତର ପିଙ୍ଗଳ କୋର୍ଟ । ଆଜି ଭାରତର ସେହି କଳା ଅତୀତକୁ ୧୫ ବର୍ଷ ପୂରଣ ହୋଇଯାଇଛି । ଆଜି ବି ମୁମ୍ବାଇର ତାଜ୍ ହୋଟେଲକୁ ଦେଖିଲେ ଆଖିରେ ନାଚି ଉଠୁଛି ସେଦିନର ଭୟଙ୍କର ଚେହେରା ଆଉ ଆଜି ବି ଛାତିରେ ଗର୍ବ ଭରି ଦେଉଛି ତୁକାରାମ ଏବଂ NSGଙ୍କ ସାହସ ଓ ବୀରତ୍ୱର ଗାଥା ।

Get real time updates directly on you device, subscribe now.