fbpx

Madhusudan Law Universityରେ ନିଯୁକ୍ତି ପାଇବେ ୨୭୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ, ପ୍ରକ୍ରିୟା ଆରମ୍ଭ କଲା OPSC

ନୂଆଦିଲ୍ଲୀ: କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ୨୭୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ପାଇବେ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପାଇଁ ୫୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ ପାଇଁ ପରୀକ୍ଷା କରାଯିବ । ଏହାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପକ୍ଷରୁ ଓପିଏସସିକୁ ଦିଆଯାଇଛି ।

ଏହି ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ (ଓଏସଏସସି) କିମ୍ବା ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ଦ୍ୱାରା ପରୀକ୍ଷା କରାଯିବ । ୨୨୦ରୁ ଅଧିକ ଅଣଶିକ୍ଷକ ମଧ୍ୟ ନିଯୁକ୍ତି ପାଇବେ । ବିଶ୍ୱବିଦ୍ୟାଳୟରେ ଏବେ ମାତ୍ର ୧୫ ଜଣ ନିୟମିତ କର୍ମଚାରୀ ଓ ଅଧ୍ୟାପକ ରହିଛନ୍ତି । ୬ ଜଣ ଅଧ୍ୟାପକ ପାଠ ପଢ଼ାଉଥିବା ବେଳେ ୮ ଜଣ ଅଣଶିକ୍ଷକ ରହିଛନ୍ତି । ଏଥିସହିତ ୨୦ ଜଣ ଚୁକ୍ତିଭିତ୍ତିକ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି ।

ଗତ ୨୦୨୦ ମସିହା ଏପ୍ରିଲ ୪ରେ ରାଜ୍ୟ ସରକାର ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ସବୁ ମୌଳିକ ସୁବିଧା ସୁଯୋଗ ଓ ଭିତ୍ତିଭୂମିର ଆବଶ୍ୟକତା ରହିଥାଏ ତାହା ଏବେ ସୁଦ୍ଧା ପୂରଣ ହୋଇପାରିନାହିଁ । ଠିକରେ ପାଠପଢ଼ା ହୋଇପାରୁ ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କର୍ମଚାରୀ ଅଭାବରୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ଉପୁଜୁଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରିଥିଲେ । ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.