fbpx

ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଲେ ତିନି ହେଭିୱେଟ୍: ଥରୁର କହିଲେ ପରିବର୍ତ୍ତନ ପାଇଁ ମୋତେ ଭୋଟ ଦିଅନ୍ତୁ 

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ସରିଛି। ନାମାଙ୍କନ ଦାଖଲ ପରେ ଏବେ ନିର୍ବାଚନକୁ ନେଇ ସ୍ଥିତି ଏବେ ଧୀରେ ଧୀରେ ସ୍ପଷ୍ଟ ହେଉଛି । କାରଣ ଆଜି ନାମାଙ୍କନର ଶେଷ ଦିନରେ ନାମାଙ୍କନ ଭରିଛନ୍ତି କଂଗ୍ରେସରେ ତିନି ତୁଙ୍ଗନେତା। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନେଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ସାଂସଦ ଶଶି ଥରୁୁର ଏବଂ ଝାଡ଼ଖଣ୍ଡ କଂଗ୍ରେସ ନେତା କେଏନ ତ୍ରିପାଠୀ ପାର୍ଟୀ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି। ଏମିତିରେ ଆଶା କରାଯାଉଛି କଂଗ୍ରେସର ଏହି ସର୍ବୋଚ୍ଚ ପଦ ପାଇଁ ତ୍ରିକୋଣୀୟ ମୁକାବିଲା ଦେଖବାକୁ ମିଳିପାରେ। ଏହାପୂର୍ବରୁ ଦିଗବିଜୟ ସିଂହ ନିର୍ବାଚନ ଲଢ଼ିବେ ନାହିଁ ଘୋଷଣା କରିଥିଲେ। ସେପଟେ ନାମାଙ୍କନ ପ୍ରତ୍ୟାହାର ପାଇଁ ୮ ଅକ୍ଟୋବର ସମୟ ରହିଛି।

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ପାର୍ଟୀ ଅଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଥିଲେ । ତାଙ୍କର ସମର୍ଥନରେ ଜି-୨୩ ସମୂହ ନେତା ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀ ଅଶୋକ ଗେହଲଟ, ଦିଗବିଜୟ ସିଂହ, ପ୍ରମୋଦ ତିୱାରୀ, ପି ଏଲ ପୁନିଆ, ଏ କେ ଆଣ୍ଟୋନୀ, ପବନ କୁମାର ବଂସଲ  ଏବଂ ମୁକୁଲ ବାସନିକ ପ୍ରମୁଖ ନାମାଙ୍କନ ପାଇଁ ସମର୍ଥନ କରିଥିଲେ। ସେପଟେ ଝାଡ଼ଖଣ୍ଡ କଂଗ୍ରେସ ନେତା କେ ଏନ ତ୍ରିପାଠୀ ମଧ୍ୟ ପାର୍ଟୀ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିଲେ। ଏହି ସମୟରେ ସେ କହିଥିଲେ ଯେ କଂଗ୍ରେସ ରେ ଆନ୍ତରିକ ଲୋକତନ୍ତ୍ର ରହିଛି। ଏଥିପାଇଁ ତ’ ଏଥିପାଇଁ ଜଣେ ଚାଷୀ ପୁଅ କଂଗ୍ରେସ ଅଧ୍ୟକ୍ଷ ପଦରେ ଲଢ଼ିପାରୁଛି। ଭାଜପାରେ ଏମିତି ହେବା ସମ୍ଭବ ନୁହେଁ।

ଏହାରି ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ଆଜି ଦ୍ୱିପହରରେ ଏଆଇସିସି ଅଫିସରେ ପହଞ୍ଚି ନିଜ ନାମାଙ୍କନ ଭରିଛନ୍ତି । ଏହି ସମୟରେ ସେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନେଇ କହିଥିଲେ ଯେ ସେ ହେଉଛନ୍ତି ଆମ ଦଳର ଭୀଷ୍ମ ପିତାମହ। ସେ ଆହୁରି କହିଥିଲେ ଯେଉଁମାନେ ଦଳରେ ଯଥାସ୍ଥିତି ବଜାୟ ରଖିବାକୁ ଚାହୁଛନ୍ତି ସେମାନେ ଖଡ଼ଗେଙ୍କୁ ଭୋଟ ଦେବା ଜରୁରୀ। ଆଉ ଯେଉଁମାନେ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହୁଛନ୍ତି ସେମାନେ ମତେ ଭୋଟ୍ କରନ୍ତୁ। ସେ କହିଛନ୍ତି ତାଙ୍କ ପାଖରେ ଦଳକୁ ମଜବୁତ କରିବାର ଚିନ୍ତାଧାରା ରହିଛି ଯାହା ପରିବର୍ତ୍ତନ ଆଣିବ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଆଜି ପାର୍ଟୀ ଅଧ୍ୟକ୍ଷ ପଦ ନିର୍ବାଚନରୁ ପଛକୁ ହଟିଥିଲେ। ସେ କହିଛନ୍ତି ଯେ ସେ ପାର୍ଟୀ ଅଧ୍ୟକ୍ଷ ପଦର ନିର୍ବାଚନ ଲଢ଼ିବେ ନାହିଁ ବରଂ ନିଜ ସହଯୋଗୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମାଙ୍କନରେ ସମର୍ଥକ ହେବେ। ସିଂହ କହିଥିଲେ ଯେ ପୂରା ଜୀବନ କଂଗ୍ରେସ ପାଇଁ କାମ କରିଛନ୍ତି ଏବଂ ଆଗକୁ ବି କରିବେ। ସୂଚନା ଥାଉ ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ନିର୍ବାଚନ ନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ତେବେ ଆଜି ନାମାଙ୍କନ ସରିଥିବାବେଳେ ନାମାଙ୍କନ ପ୍ରତ୍ୟାହାର ପାଇଁ ଅକ୍ଟୋବର ୮ ତାରିଖ ଶେଷ ତାରିଖ ରହିଛି। ଏହାପରେ ୧୭ ଅକ୍ଟୋବର ନିର୍ବାଚନ ଏବଂ ୧୯ ଅକ୍ଟୋବରରେ ଘୋଷଣା ହେବ ଫଳାଫଳ।

Get real time updates directly on you device, subscribe now.