fbpx

ଇସ୍ତଫା ଦେଲେ ଓଡ଼ିଶାର ୩ ନେତା: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ, କଂଗ୍ରେସ ଛାଡ଼ିଲେ ଜିଲ୍ଲା ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ମାସ ୧୩, ୨୦, ୨୫ ଓ ଜୁନ ୧ରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବ । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ ଏହା ମଧ୍ୟରେ ରାଜନେତାମାନେ ଦଳ ବଦଳ କରିବା ଆରମ୍ଭ କରିଦେଇଛନ୍ତି ।

ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଡମ୍ବରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ପ୍ରଥମ ବଣ୍ଡା ବ୍ୟକ୍ତି ଭାବେ ଡମ୍ବରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଡମ୍ବରୁ ତାଙ୍କର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସତୀଶ ଆଶାୟୀ ରହିଥିଲେ । ମାତ୍ର ଦଳ ଉକ୍ତ ଆସନରୁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିବା ପରେ ସତୀଶ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସରୁ ମଧ୍ୟ ଜଣେ ନେତା ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଦଳର ପ୍ରାଥମିକ ସଦସ୍ୟତା ଓ ବଲାଙ୍ଗିର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । ଦଳ ପାଇଁ ସେ ୩୮ ବର୍ଷ ଧରି କାର୍ଯ୍ୟ କରିଆସିଥିବାରୁ ସେଥିପାଇଁ ସେ ଦଳ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ସରେନ୍ଦ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.