fbpx

ଆଇପିଏଲରେ ସର୍ବାଧିକ ରନ୍: ଟପ୍-୫ରେ ଅଛନ୍ତି ୪ ଜଣ ଭାରତୀୟ

ନୂଆଦିଲ୍ଳୀ: ଆଉ ଦିନ କେତେଟା ପରେ ଆରମ୍ଭ ହେବ ଆଇପିଏଲ୍ । ଟି-୨୦ କ୍ରିକେଟର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ଫ୍ୟାନଙ୍କ ନଜର ନିଜର ପସନ୍ଦର ଖେଳାଳିଙ୍କ ଉପରେ । ଟି-୨୦ କ୍ରିକେଟ ଛକା ଓ ଚୌକାର ଖେଳ ହୋଇଥିବା ବେଳେ କେଉଁ ବ୍ୟାଟ୍ସମ୍ୟାନ ସର୍ବାଧିକ କରନ୍ତି ତାହା ସମସ୍ତଙ୍କ ପାଇଁ ଆଗ୍ରହର ବିଷୟ । ଏଭଳି ଏକ ପରସ୍ଥିତିରେ ଅଳ୍ପ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ନିରନ୍ତର ଭାବରେ ରନ୍ ସଂଗ୍ରହ କରିଥାନ୍ତି । କେବଳ ନିୟମିତ ନୁହେଁ ବରଂ ବଡ ସ୍କୋର ମଧ୍ୟ ସଂଗ୍ରହ କରିଥାନ୍ତି । ଆଇପିଏଲର ୧୪ଟି ସଂସ୍କରଣ ଶେଷ ହୋଇଥିବା ବେଳେ ଟପ୍-୫ ସର୍ବାଧିକ ରନ ସଂଗ୍ରହକାରୀଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଭାରତୀୟ । ତେବେ ଏକମାତ୍ର ବିଦେଶୀ ଖେଳାଳି ଭାବରେ ଡେଭିଡ୍ ୱାର୍ଣ୍ଣର ଏହି ତାଲିକାରେ ଅଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୫୪୧୨ ରନ ସଂଗ୍ରହ କରିବା ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ବିରାଟ କୋହଲି: କ୍ରିକେଟିଂ କ୍ୟାରିୟରରେ ଏକାଧିକ ରେକର୍ଡ ନିଜ ନାମରେ ରଖିଥିବା ବିରାଟ କୋହଲି ଆଇପିଏଲରେ ସର୍ବାଧିକ ରନର ରେକର୍ଡ ନିଜ ନାମରେ ରଖିଛନ୍ତି । ୧୭୭ଟି ମ୍ୟାଚ ଖେଳିଥିବା କୋହଲି ୩୭.୮୪ର ଆଭରେଜ ସହିତ ୫୪୧୨ ରନ ସ୍କୋର କରିଛନ୍ତି । କୋହଲିଙ୍କ ଏହି ରେକର୍ଡରେ ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସାମିଲ ରହିଛି । ୧୧୩ ରନ ଆଇପିଏଲରେ କୋହଲିଙ୍କ ସର୍ବାଧିକ ସ୍କୋର ।

ସୁରେଶ ରାଇନା: ଚିନ୍ନା ଥାଲା ବା ମିଷ୍ଟର ଆଇପିଏଲ ଭାବରେ ପରିଚିତ ସୁରେଶ ରାଇନା ଆଇପିଏଲରେ ୫୩୬୮ ରନ ସଂଗ୍ରହ କରିଛନ୍ତି । ଚଳିତ ଆଇପିଏଲରେ ଅନସୋଲ୍ଡ ରହିଥିବା ରାଇନା ୩୩.୩୪ ଆଭରେଜରେ ଏହି ରନ ସଂଗ୍ରହ କରିଛନ୍ତି । ଗୋଟିଏ ଶତକ ହାସଲ କରିଥିବା ରାଇନା ଦ୍ୱିତୀୟ ଖେଳାଳି ଭାବରେ ୫ ହଜାର ରନ ପୂରଣ କରିଛନ୍ତି । ଚଳିତ ବର୍ଷ ରାଇନା କମେଣ୍ଟେଟର ଭୂମିକାରେ ନଜର ଆସିବେ ।

ରୋହିତ ଶର୍ମା: ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରହିଥିବା ରୋହିତ ଶର୍ମା ସର୍ବାଧିକ ରନ ହାସଲକାରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ୫ ହଜାର ରନରୁ ମାତ୍ର ୨ ରନ ଦୂରରେ ରହିଥିବା ହିଟମ୍ୟାନ ବର୍ତ୍ତମାନ ସୁଦ୍ଧା ୧୮୮ ମ୍ୟାଚ ଖେଳିଛନ୍ତି । ୩୧.୬୦ର ଆଭରେଜ ସହିତ ରୋହିତ ୧୦୯ ରନର ସର୍ବାଧିକ ସ୍କୋର କରିଛନ୍ତି ।

ଡେଭିଡ ୱାର୍ଣ୍ଣର: ଏକମାତ୍ର ବିଦେଶୀ ଖେଳାଳି ଭାବରେ ଏହି ତାଲିକାରେ ଅଛନ୍ତି ଡେଭିଡ ୱାର୍ଣ୍ଣର । ଚତୁର୍ଥ ସ୍ଥାନରେ ଥିବା ୱାର୍ଣ୍ଣର ୧୨୬ଟି ଆଇପିଏଲ ମୁକାବିଲାରୁ ୪୭୦୬ ରନ ସଂଗ୍ରହ କରିଛନ୍ତି । ୪ଟି ଆଇପିଏଲ ଶତକ ହାସଲ କରିଥିବା ୱାର୍ଣ୍ଣର ୪୩.୧୭ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି ।

ଶିଖର ଧୱନ: ଭାରତୀୟ ଦଳର ଗବର ନାମରେ ପରିଚିତ ଶିଖର ଧୱନ ୪୫୭୯ ରନ କରିବା ସହିତ ଏହି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି । ୧୫୯ ମ୍ୟାଚ ଖେଳି ଧୱନ୍ ୩୩.୪୨ର ଆଭରେଜ ସହିତ ୩୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.