fbpx

ତାତିରେ ଲୋକେ କଲବଲ: ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ତାପମାତ୍ରା, ଏହିସବୁ ଜିଲ୍ଲାକୁ ଦିଆଗଲା ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ରବିବାର ସକାଳ ୮ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ସାରିଲାଣି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ, ଭୁବନେଶ୍ୱରର ୪୦.୭, ବାଲେଶ୍ୱରରେ ୪୦.୧, ରାଉରକେଲାରେ ୩୯.୬, ଚାନ୍ଦବାଲିରେ ୩୯.୨, ସମ୍ବଲପୁରରେ ୩୮.୨, ହୀରାକୁଦରେ ୩୭.୮, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଓ ଗୋପାଳପୁରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି।

ସେପଟେ ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ଆଜି ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ।

ଅନ୍ୟପଟେ ଶନିବାର ତାତିରେ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା। ପୃଥିବୀର ପ୍ରଥମ ଦଶଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ବାରିପଦା ଏବଂ ବୌଦ୍ଧ ସହର ସ୍ଥାନ ପାଇଛନ୍ତି। ଉଭୟ ସହର ୯ମ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛନ୍ତି। ବିଶ୍ୱବ୍ୟାପୀ ପାଣିପାଗ ସମ୍ବନ୍ଧରେ ଅଧ୍ୟୟନ ଏବଂ ତଥ୍ୟ ରଖୁଥିବା ସଂସ୍ଥା ଓଜିମେଟ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହାସହ ବୌଦ୍ଧ ଏବଂ ବାରିପଦା ଦେଶର ସବୁଠାରୁ ଉତ୍ତପ୍ତ ସହର ଏବଂ ଏସିଆ ମହାଦେଶରେ ତୃତୀୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କେବଳ ବାରିପଦା କିମ୍ବା ବୌଦ୍ଧ ନୁହେଁ, ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସହରରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଚଳିତ ବର୍ଷରେ ଆଜି ପ୍ରଥମ ଥର ପାଇଁ ୨ଟି ସହରରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୩ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି।

Get real time updates directly on you device, subscribe now.