fbpx
BSKY
BJD SHG SKY
BJD YOUTH SKY

୪୫ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି: କହିଲେ- ‘ଶିକ୍ଷକମାନେ ଆଲୋକର ବର୍ତ୍ତିକା’

ନୂଆଦିଲ୍ଲୀ: ଶିକ୍ଷକମାନେ ହେଉଛନ୍ତି ଆଲୋକର ବର୍ତ୍ତିକା । ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ । ଗୁରୁ-ଶିଷ୍ୟର ସମ୍ପର୍କ ଆବହମାନ କାଳରୁ ରହି ଆସିଥିବାବେଳେ ଏବେ ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଦେଶର ୪୫ ଜଣ କୃତୀ ଶିକ୍ଷକଙ୍କୁ ସମ୍ମାନିତ କରି ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି ।

ସେ କହିଥିଲେ, ଶିକ୍ଷକମାନେ ଭବିଷ୍ୟତଗଠନର ନିର୍ମାତା । ସେମାନଙ୍କ ଶିକ୍ଷାଦାନ ଆଜିର ଯୁବପୀଢ଼ିଙ୍କୁ ବିକାଶର ମାର୍ଗରେ ଆଗେଇ ନେବାରେ ଯଥେଷ୍ଟ ସହାୟକ ହେଉଛି । ଏକ୍ଷେତ୍ରରେ ଶିକ୍ଷକମାନେ ସେମାନଙ୍କ କର୍ତ୍ତବ୍ୟ ସୂଚାରୁରୂପେ ତୁଲାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ଶିକ୍ଷକମାନଙ୍କ ଜୀବନରେ ଭରି ରହିଥାଏ ଜ୍ଞାନ ଓ ବିଜ୍ଞାନର ଭିତ୍ତିପ୍ରସ୍ତର । ଦେଶରେ ଏଭଳି କିଛି ଶିକ୍ଷକ ରହିଛନ୍ତି ଯେଉଁମାନେ ଏହି ପରମ୍ପରାକୁ ଆଗକୁ ନେବାରେ ସହାୟକ ହୋଇଥାନ୍ତି । ଶିକ୍ଷା ଜରିଆରେ ଶିଶୁଙ୍କ ଜୀବନକୁ ସମାଜରେ ପରିବର୍ତ୍ତନ କରିବାରେ ସେମାନଙ୍କର ରହିଥାଏ ଗୁରୁ ଦାୟିତ୍ୱ ।

ରାଷ୍ଟ୍ରପତି କହିଥିଲେ ଯେ ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟଗୁଡ଼ିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ । ଏହି ଅବସରରେ ସେ ନିଜ ଗୁରୁମାନଙ୍କୁ ସ୍ମରଣ କରିବା ସହିତ କହିଥିଲେ ଯେ ମୋତେ ସେମାନେ କେବଳ ଶିକ୍ଷା ଦେଇନାହାନ୍ତି, ବରଂ ଜୀବନରେ ଲଢେଇ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି । ମା’ମାନେ ହିଁ ଆମକୁ ପ୍ରାରମ୍ଭିକ ଜୀବନରେ ବଞ୍ଚିବାର କଳା ଶିଖାଇଛନ୍ତି । ସେଥିପାଇଁ ମାତୃଭାଷା ହିଁ ବାସ୍ତବ ପ୍ରତିଭାର ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ ।

ଏହି ଅବସରରେ ୪୫ ଜଣ କୃତୀ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତେବେ ଏହି ୪୫ ଜଣଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ମଧ୍ୟ ସାମିଲ ରହିଛନ୍ତି । ମୋଟା ଅଙ୍କର ବେତନ ଛାଡ଼ି ଶିକ୍ଷକ ବୃତ୍ତିକୁ ଆବୋରି ନେଇଥିବା ଶ୍ରୀ ନାୟକ ନିଆରା ଢଙ୍ଗରେ ଶିକ୍ଷା ଦାନ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି । ତାଙ୍କର ସେହି ଶିକ୍ଷାଦାନ ଆଜି ତାଙ୍କୁ ପଲ୍ଲୀରୁ ନେଇ ଦିଲ୍ଲୀରେ ପହଞ୍ଚାଇ ଦେଇଛି । ଏଥିନେଇ ରାଜ୍ୟବାସୀ ନିଜକୁ ବେଶ୍ ଗୌରବାନ୍ୱିତ ମନେକରୁଛନ୍ତି ।

ତେବେ ପୁରସ୍କାର ପ୍ରଦାନ ସମୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ମହାନତା ପ୍ରତିପାଦିତ କରିବାରେ ସାମାନ୍ୟତମ କୁଣ୍ଠାପ୍ରକାଶ କରିନାହାନ୍ତି । ଉତ୍ତରାଖଣ୍ଡର ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ସେ ମଞ୍ଚ ତଳକୁ ଚାଲିଯାଇଥିଲେ । ତେବେ ଶିକ୍ଷକ ପ୍ରଦୀନ ନେଗି ପୁରସ୍କାର ପାଇଁ ଆଶାବାଡ଼ି ଧରି ମଞ୍ଚ ଉପରକୁ ଉଠୁଥିବାବେଳେ ତୁରନ୍ତ ରାଷ୍ଟ୍ରପତି ତଳକୁ ଆସି ତାଙ୍କୁ ସମ୍ମାନିତ କରିଥିଲେ । ଏହା ଶ୍ରୀମତୀ ମୁର୍ମୁଙ୍କ ମହନୀୟତା ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କୃତ ଶିକ୍ଷକମାନଙ୍କ ସହିତ ଭାବ ବିନିମୟ କରି ଶିକ୍ଷାକ୍ଷେତ୍ରରେ ନିଜର ମହନୀୟତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିବା ସୂଚନା ମିଳିଛି । ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ।

Get real time updates directly on you device, subscribe now.