fbpx

ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ: ଭବ୍ୟ ସ୍ୱାଗତ ପାଇଁ ବିଜେଡ଼ିର ପ୍ରସ୍ତୁତ, ୫୦ ହଜାରରୁ ଅଧିକ ଲୋକ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ଣରେ ଭୁବନେଶ୍ୱର ଫେରିବେ । ତେବେ ଗତ ୪ ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ତାଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯିବା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିଜେଡ଼ି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବାବେଳେ ସେଠାରେ ୫୦ ହଜାରରୁ ଅଧିକ ଦଳୀୟ କର୍ମୀ ଓ ଜନସାଧାରଣ ସମ୍ବର୍ଦ୍ଧନା ପ୍ରଦାନ କରିବେ । ବାଜା, ବାଣ ଓ ନୃତ୍ୟରେ ବିମାନ ବନ୍ଦର ପରିସର ପ୍ରକମ୍ପିତ ହେବ । ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ଅଣାଯିବ । ବିଜେଡ଼ିର ଏହି ସ୍ୱାଗତ ଉତ୍ସବ ସମାରୋହରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରାୟ ୫୦ ହଜାରରୁ ଅଧିକ ଲୋକ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ଏଣୁ ଏହି ସମୟରେ ଟ୍ରାଫିକ୍ ଜାମ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ସବୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ସେହିପରି ୩ଟି ଅତିରିକ୍ତ ଟ୍ରାଫିକ୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଡିସିପି କହିଛନ୍ତି । ରାଜଧାନୀରେ ୮ଜଣ ଏଡିସିପି ଏବଂ ୧୬ ଜଣ ଏସିପିଙ୍କୁ ମଧ୍ୟ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବାରିକେଡ୍ ବ୍ୟବସ୍ଥା କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ବିଜେଡ଼ିର ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯାଇଛି । ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ଦୀର୍ଘ ୨୫ ବର୍ଷର ଶାସନ କାଳରେ ରାଜ୍ୟକୁ ବିକାଶର ମାର୍ଗରେ ଆଗେଇ ନେଇଥିବାବେଳେ ତାଙ୍କର ଏହି କୃତି ପାଇଁ କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ତାଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରିଛି ।

Get real time updates directly on you device, subscribe now.