ବ୍ରିଟେନରେ ମଙ୍କିପକ୍ସର ୪୭୦ ମାମଲା ଚିହ୍ନଟ: ଅଧିକାଂଶ ସମଲିଙ୍ଗୀ ସଂକ୍ରମିତ

ଲଣ୍ଡନ: ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ଦେଶରେ ମଙ୍କିପକ୍ସର ୧୦୪ ଅନ୍ୟ ମାମଲା ଚିହ୍ନଟ କରିଛନ୍ତି । ଏବେ ଆଫ୍ରିକା ବାହାରେ ମଧ୍ୟ ମାମଲା ସାମ୍ନାକୁ ଆସୁଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସୋମବାର ଦିନ କହିଛି ଯେ, ଦେଶରେ ୪୭୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ସମଲିଙ୍ଗୀ ବା ବାଇସେକ୍ସୁଆଲ୍ ପୁରୁଷମାନେ ଏଥିରେ ସଂକ୍ରମିତ ହୋଇଛନ୍ତି ।

ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ମଙ୍କିପକ୍ସ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯେକୌଣସି ବ୍ୟକ୍ତି ସଂକ୍ରମିତ ହୋଇପାରନ୍ତି । ବ୍ରିଟେନର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ ସଂକ୍ରମଣ ମାମଲା ପୁରୁଷଙ୍କଠାରେ ଦେଖାଦେଇଥିବା ବେଳେ ଏବଂ ଅଧିକାଂଶ ମାମଲା ଲଣ୍ଡନରେ ରହିଛିି ।

ତେବେ ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ କହିଥିଲା ଯେ, ୨୮ଟି ଦେଶରୁ ମଙ୍କିପକ୍ସର ୧୨୮୫ ମାମଲଶ ସାମ୍ନାକୁ ଆସିଛି । ଆଫ୍ରିକା ବାହାରେ କୌଣସି ମୃତ୍ୟୁର ସୂଚନା ମିଳିପାରିନାହିଁ । ବ୍ରିଟେନ ପରେ ସବୁଠାରୁ ଅଧିକ ମାମଲା ସ୍ପେନ, ଜର୍ମାନୀ ଓ କାନାଡାରୁ ସାମ୍ନାକୁ ଆସିଛି ।

ତେବେ ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ । ଗତବର୍ଷ ଜୁଲାଇରେ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।

‘ମଙ୍କିପକ୍ସ୍‌’ ଭୂତାଣୁ ବସନ୍ତ ସୃଷ୍ଟି କରାଉଥିବା ‘ଅର୍ଥୋପୋକ୍ସ୍‌ଭାଇରସ୍‌’ ପରିବାରର। ଏହି ଭୂତାଣୁକୁ ବସନ୍ତ ଟିକାରେ ବ୍ୟବହାର କରାଯାଇଥିଲା। ‘ମଙ୍କିପକ୍ସ୍‌’ର ଲକ୍ଷଣ ବସନ୍ତ ଲକ୍ଷଣ ସହ ତୁଳନୀୟ ହେଲେ ବି ଏତେ ସାଙ୍ଘାତିକ ନୁହେଁ। ଟିକାକରଣ ଯୋଗୁଁ ୧୯୮୦ ମସିହାରୁ ବସନ୍ତ ରୋଗ ନିର୍ମୂଳ ହୋଇଯାଇଥିଲେ ବି କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକା ଭଳି କେତେକ ଦେଶରେ ‘ମଙ୍କିପକ୍ସ’ ଭୂତାଣୁ ଏବେ ବି ରହିଛି। ‘ମଙ୍କିପକ୍ସ୍‌’ରେ ଆକ୍ରାନ୍ତ ହେଲେ ଦେହହାତରେ ଫଳି ଯାଇ ଘା’ ହେବା ସହ ଜ୍ବର ହୋଇଥାଏ। ଏହାଛଡ଼ା, କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଜ୍ବର ସହ ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ଅବସନ୍ନ ଆଦି ଲକ୍ଷଣ ଦେଖାଯାଏ।