ଭୁବନେଶ୍ବର: ସୁନ୍ଦରଗଡରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପରକୀୟା ପ୍ରୀତି ପାଇଁ ଗୋଷ୍ଠୀ ସଂଘର୍ଷ ହୋଇଛି । ତେବେ ଏହି ସଂଘର୍ଷରେ 5 ମୁଣ୍ଡ ଗଡିଥିବା ସୂଚନା ମିଳିଛି । କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ସମ୍ମୁଖ ଗୀତା ପଡ଼ାରେ ଘଟିଛି ଏହି ସିରିଜ୍ ନର ସଂହାର ।ପାଞ୍ଚ ଜଣ ବଞ୍ଜାରାଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ତିନି ଜଣ ମହିଳା ରହିଛନ୍ତି । ସମସ୍ତଙ୍କ ବୟସ 25 ରୁ 45 ମଧ୍ୟରେ ହୋଇଥବା ନେଇ ଅନୁମାନ କରିଛି ପୋଲିସ । ୨ ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ବେଳେ, ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।
ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଗୋଷ୍ଠୀ ସଂଘର୍ଷ । ଘଟଣାର ସୂଚନା ପାଇବାପରେ ଏସ ପି ପ୍ରତ୍ୟୁଷ ଦିବାକର, ସଦର ଏସ ଡି ପି ଓ ହିମାଂଶୁ ଭୂଷଣ ବେହେରା, ଟାଉନ ଥାନା ଅଧିକାରୀ ଏବଂ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଳାର ସମସ୍ତ ସୀମାନ୍ତ ଅଞ୍ଚଳକୁ ନାକାବନ୍ଦି କରାଯାଇଛି । ଏହାସହ ବିଜୁ ଏକ୍ସପ୍ରେସ ୱେ ଦେଇ ଯାଉଥିବା ସମସ୍ତ ଯାନକୁ ଯାଞ୍ଚ କରିବା ପାଇଁ ଏସପି କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।