fbpx

ଧର୍ମାନ୍ତରଣ କରାଇଲେ ମିଳିବ କଡା ଦଣ୍ଡ, ୧୦ ବର୍ଷ ଜେଲ୍ ଏବଂ ୫ ଲକ୍ଷ ଜରିମାନା

ବେଙ୍ଗାଲୁରୁ : ଧର୍ମାନ୍ତରଣ କରାଇଲେ ମିଳିବ କଡା ସଜା । କର୍ଣ୍ଣାଟକର ବିଜେପି ସରକାର ବିଧାନସଭା ଅଧିବେଶନରେ ଆଣିବାକୁ ଯାଉଛନ୍ତି ଧର୍ମାନ୍ତରଣ ବିରୋଧୀ ଆଇନ । ବିଜେପିର ବସବରାଜ ବୋମ୍ମଇ ସରକାର ଏହାର ସଙ୍କେତ ଦେଇଛନ୍ତି । ରାଜ୍ୟରେ ଏବେ ଧର୍ମାନ୍ତରଣ ବିରୋଧୀ ଆଇନକୁ ଆହୁରି କଡାକଡି କରାଯିବ । ନୂତନ ଆଇନରେ ସଜାର ଅବଧି ୩ ବର୍ଷରୁ ବଢାଯାଇ ୧୦ ବର୍ଷ ଏବଂ ଜରିମାନା ରାଶି ୫୦ ହଜାରରୁ ବଢାଯାଇ ଏକ ଲକ୍ଷ ଏବଂ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରେ ।

ସୂଚନା ଅନୁଯାୟୀ, ଏହି ସପ୍ତାହରେ ସରକାର ବିଧାନସଭାରେ କର୍ଣ୍ଣାଟକ ଧର୍ମର ସ୍ୱାଧୀନତାର ଅଧିକାର ସଂରକ୍ଷଣ ବିଧେୟକ ୨୦୨୧ ବିଲ୍ ଉପସ୍ଥାପନ କରିପାରନ୍ତି । ନିକଟରେ ହିନ୍ଦୁ ଧର୍ମରୁ ଇସଲାମ ଏବଂ ଖ୍ରୀଷ୍ଟିୟାନ ଧର୍ମରେ ପରିବର୍ତ୍ତିତ ହେବାର ଅନେକ ଘଟଣା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି ।

ଶୀତକାଳୀନ ଅଧିବେଶନରେ ନୂତନ ଆଇନର ବିଧେୟକ ଆଗତ କରିବାକୁ ଶାସକ ବିଜେପି ଜୋର ଦେଉଛି । ରାଜ୍ୟ ସରକାର ପ୍ରସ୍ତାବିତ ଆଇନର ବୈଧତା ଯାଞ୍ଚ ଏବଂ ସମୀକ୍ଷା ପାଇଁ ଗତ କିଛି ଦିନ ହେବ ଅନେକ ବୈଠକ କରି ସାରିଛନ୍ତି । ବୁଧବାର ରାତିରେ ବିଧାୟକ ଦଳ ବୈଠକରେ ଚଳିତ ଅଧିବେଶନରେ ଗୃହରେ ପ୍ରସ୍ତାବିତ ବିଧେୟକ ଆଗତ କରାଯିବାକୁ ନିର୍ଣ୍ଣୟ ନିଆଯାଇଛି ।

ଏହି ବିଧେୟକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିରେ ଆସୁଥିବା ଲୋକେ, ନାବାଳକ ଏବଂ ମହିଳାଙ୍କୁ ଅନ୍ୟ ଧର୍ମରେ ବଳପୂର୍ବକ ଧର୍ମାନ୍ତରଣ ପାଇଁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନାର ପ୍ରାବଧାନ କରାଯାଇଛି । ସାଧାରଣ ବର୍ଗର ଲୋକଙ୍କ ଧର୍ମାନ୍ତରଣ ପାଇଁ ତିନି ବର୍ଷରୁ ପାଞ୍ଚ ବର୍ଷର ଜେଲ୍ ଏବଂ ୨୫ ହଜାର ଟଙ୍କାର ଜରିମାନା ପ୍ରସ୍ତାବ ରଖାଯାଇଛି ।

ଏହି ନୂତନ ବିଧେୟକରେ ଧର୍ମାନ୍ତରଣର କଲେ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ସଜା ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ । ବିଧେୟକରେ ଏହା ମଧ୍ୟ କୁହାଯାଇଛି ଯେ, ଶୁଣାଣି ସମୟରେ କୋର୍ଟ ଚାହିଁଲେ ଦୋଷୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇ ପାରିବେ ।

 

Get real time updates directly on you device, subscribe now.