fbpx

(Video) ଅଳ୍ପକେ ବର୍ତ୍ତିଲେ କାଉଡ଼ିଆ: ନୃସିଂହନାଥ ଝରଣାରେ ପାଣି ଉଠାଉଥିବା ବେଳେ ଅଚାନକ୍ ମାଡି ଆସିଥିଲା ପାଣି

ବରଗଡ଼(ଓଡ଼ିଶା ଭାସ୍କର): ମାଡ଼ି ଆସିଲା ପାହାଡ଼ି ଝରଣା । ଅଳ୍ପକେ ବର୍ତ୍ତିଗଲା କାଉଡ଼ିଆଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ ଘଟିଛି । ମନ୍ଦିର ପାଖରେ ଥିବା ଝରଣାରୁ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ହଠାତ ମାଡ଼ି ଆସିଥିଲା ଝରଣା ଜଳ । ବିପଦସଂକୁଳ ଅବସ୍ଥାରେ ହାତ ଧରାଧରି ହୋଇ ଝରଣା ଅତିକ୍ରମ କରିଥିଲେ କାଉଡ଼ିଆ ।

ତେବେ ଆଜି ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଜଳାଭିଷେକ ପାଇଁ ନୃସିଂହନାଥ ପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା । ପ୍ରସିଦ୍ଧ ଶୈବପୀଠ ହୋଇଥିବାରୁ ଜିଲ୍ଲା ବାହାରୁ ଏପରିକି ରାଜ୍ୟ ବାହାରୁ ଛତିଶଗଡରୁ ମଧ୍ୟ କାଉଡିଆ ମାନେ ଏଠାକୁ ଆସି ଜଳଲାଗି କରିଥାନ୍ତି । ଜଳାଭିଷେକ ପାଇଁ କାଉଡିଆ ମାନେ ପାଣି ଉଠାଉଥିବା ବେଳେ ବର୍ଷା କାରଣରୁ ଝରଣାରେ ପ୍ରବଳ ସ୍ରୋତରେ ପାଣି ମାଡି ଆସିଥିଲା । ଚାହୁଁଚାହୁଁ ଏଠାରେ ଜଳର ପ୍ରଖର ସ୍ରୋତ ଦେଖିବାକୁ ମିଳିଥିଲା । ଫଳରେ ଝରଣା ପାଣିରେ ୫୦ରୁ ଅଧିକ କାଉଡିଆ ଏଠାରେ ଫସି ରହିଥିଲେ ।

ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ କାଉଡିଆ ମାନେ ସେଠାରେ ଫସି ରହିଥିଲେ । ହେଲେ ପରେ କାଉଡ଼ିଆମାନେ ସାହସ ଜୁଟାଇ ଝରଣା ପାର ହୋଇଥିଲେ । ପରସ୍ପରର ହାତ ଧରାଧରି ହୋଇ ପାଣିର ପ୍ରଖର ସ୍ରୋତକୁ କାଟି ଝରଣା ପାର କରିଥିଲେ କାଉଡିଆ ଏବଂ ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଅଚାନକ ଝରଣାରେ ଜଳସ୍ତର ବୃଦ୍ଧି କାରଣରୁ କିଛି ସମୟ ପାଇଁ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳି ଯାଇଥିଲା । କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ କାଉଡିଆମାନେ ସୁରକ୍ଷିତ ଭାବରେ କୂଳକୁ ଆସିଥିଲେ ।

Get real time updates directly on you device, subscribe now.